‘ଗାନ୍ଧିଜୀ, ଶାସ୍ତ୍ରୀଜୀଙ୍କ ପଥାନୁସରଣ ପାଇଁ ଆହ୍ବାନ’

ବରଗଡ଼,୨ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ବୁଧବାର ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ଶାନ୍ତିଦୂତ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗାନ୍ଧିଛକରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ଆଦିତ୍ୟ ଗୋୟଲ ଅଧ୍ୟକ୍ଷତା କରିଥିଲେ। ଉକ୍ତ ସମାରୋହରେ ସ୍ଥାନୀୟ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ମୁଖ୍ୟ ଅତିଥି, ଜିଲାପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ, ମହେନ୍ଦ୍ର ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗାନ୍ଧିଜୀ ଏବଂ ଶାସ୍ତ୍ରୀଜୀଙ୍କ ସ୍ମୃତିଚାରଣ କରିଥିଲେ। ଗାନ୍ଧିଜୀ ଏବଂ ଶାସ୍ତ୍ରୀଜୀଙ୍କ ପ୍ରଦର୍ଶିତ ପଥକୁ ଅନୁସରଣ କରି ଜିଲା ତଥା ଦେଶର ବିକାଶରେ ଭାଗିଦାର ହେବାକୁ ଜିଲାପାଳ ଗୋୟଲ ଆହ୍ବାନ କରିଥିଲେ। ସକାଳ ୪ଟାରୁ ଅପରାହ୍ନ ୫ଟା ମଧ୍ୟରେ ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଡାକବାଜି ଯନ୍ତ୍ର ଯୋଗେ ସହରରେ ରାମଧୂନ ପରିବେଷଣ କରାଯାଇଥିଲା। ସେହିପରି ସକାଳ ୬ଟା ୩୦ମିନିଟ୍‌ରୁ ୭ଟା ୩୦ମିନିଟ୍‌ ମଧ୍ୟରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ପ୍ରଭାତଫେରୀ ହୋଇଥିଲା। ଗାନ୍ଧିଜୀ ଏବଂ ଶାସ୍ତ୍ରୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ପରେ ସର୍ବଧର୍ମ ପ୍ରାର୍ଥନା ସଭା ହୋଇଥିଲା। ଏହି ଅବସରରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

ବରଗଡ଼ ରାଣାପ୍ରତାପ ସ୍କୁଲରେ ଅନୁଷ୍ଠିତ ସମାରୋହରେ ପ୍ରଧାନଶିକ୍ଷକ ସୁଦୀପ କୁମାର ରଥ ଅଧ୍ୟକ୍ଷତା କରିଥିଲେ। ସକାଳ ୬ଟାରେ ଛାତ୍ରୀଛାତ୍ର ରାମଧୂନ ଗାନ କରିଥିଲେ। ପ୍ରଭାତଫେରୀରେ ଛାତ୍ରୀଛାତ୍ର ନିକଟସ୍ଥ ବନ୍ଧପଡ଼ା ପରିକ୍ରମା କରି ସ୍କୁଲକୁ ଫେରିଥିଲେ। ଏହି ଅବସରରେ ଛାତ୍ରୀଛାତ୍ରଙ୍କ ମଧ୍ୟ ବକୃତା ପ୍ରତିଯୋଗିତା ହୋଇଥିଲା। ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ପଦ୍ମିନୀ ଗଡ଼ତିଆ ମୁଖ୍ୟ ଅତିଥି ପରିଚାଳନା କମିଟିର ପୂର୍ବତନ ଅଧ୍ୟକ୍ଷା ଗୀତା ବେହେରା, ଶିକ୍ଷୟିତ୍ରୀ ସୁନୀତା ମିଶ୍ର, ଗୀତା ଜାଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିଥିଲେ। ପରେ ବିଦ୍ୟାଳୟ ପରିଚାଳନା କମିଟି ଉଦ୍ୟମରେ ସ୍କୁଲ ପରିସରରେ ସ୍ବଚ୍ଛତା କାର୍ଯ୍ୟକ୍ରମ ହୋଇଥିଲା। ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁକ୍ତାସ୍ଥିତ ଲାଲବାହାଦୂର ଶାସ୍ତ୍ରୀ କୃଷକ ସଂଗଠନ ତରଫରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗାନ୍ଧିଜୀ ଏବଂ ଶାସ୍ତ୍ରୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ସ୍ମୃତିଚାରଣ କରାଯାଇଥିଲା। କୃଷକ ସଂଗଠନର ସଭାପତି ଠାକୁରରାମ ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସମ୍ପାଦକ ଶଙ୍କର ଖମାରୀ, ସଭ୍ୟ ରାଜେନ୍ଦ୍ର ଦେହେରୀ, ଶଶୀଭୂଷଣ ପ୍ରଧାନ, ଶ୍ୟାମଲାଲ ନାୟକ, ସୁଧୀର ପ୍ରଧାନ, ଡୋଲାମଣି ସା, ହୃଷୀକେଶ ପ୍ରଧାନ, ମହେନ୍ଦ୍ର ଦେହେରୀ, ପଦ୍ମନ ଦେହେରୀ, ବାସୁଦେବ ପଟେଲ, ଲିଙ୍ଗରାଜ ନାୟକ ପ୍ରମୁଖ ଯୋଗଦାନ କରିଥିଲେ।

Share