Categories: ଫୁରସତ

ଗାନ୍ଧିଜୀଙ୍କ ପ୍ରିୟ ଖାଦ୍ୟ

ଜାତିର ପିତା ମହାତ୍ମା ଗାନ୍ଧୀ। ସେ ଚିର ନମସ୍ୟ। ସମୟ ସିନା ବଦଳୁଥିବ, ହେଲେ ବଦଳିବ ନାହିଁ ତାଙ୍କ ପାଇଁ ସମସ୍ତଙ୍କ ମନରେ ଥିବା ଭଲ ପାଇବା। ତେବେ ତାଙ୍କର କେବଳ ନୀତି, ଆଦର୍ଶ ନୁହେଁ ତାଙ୍କ ଖାଦ୍ୟାଭ୍ୟାସ ବି ଥିଲା ବେଶ୍‌ ନିଆରା। ସେ ଥିଲେ ସମ୍ପୂର୍ଣ୍ଣ ଶାକାହାରୀ। ବ୍ରାଉନ୍‌ ରାଇସ୍‌ ସହ ଡାଲି ଏବଂ ବିଭିନ୍ନ ପ୍ରକାର ପନିପରିବାରେ ତିଆରି ତରକାରି ଥିଲା ତାଙ୍କର ନିତିଦିନିଆ ଖାଦ୍ୟ। ରୁଟି ଖାଇବାକୁ ବି ସେ ଖୁବ୍‌ ପସନ୍ଦ କରୁଥିଲେ। ବାଇଗଣ ସିଝା, ଲାଉ ସିଝା ଖାଇବା ବି ଥିଲା ତାଙ୍କର ଅତି ପ୍ରିୟ। ଗାନ୍ଧିଜୀ ସର୍ବଦା ଶୁଦ୍ଧ ଓ ସାତ୍ତ୍ୱିକ ଖାଦ୍ୟ ଖାଇବାରେ ବିଶ୍ୱାସ ରଖୁଥିଲେ। ସେ ସବୁବେଳେ ଏମିତି ଖାଦ୍ୟ ଖାଇବାକୁ ବାରଣ କରୁଥିଲେ, ଯାହାକୁ ଖାଇଲେ ମନ ବ୍ୟଗ୍ର ହେବା ସହ କ୍ରୋଧ ବଢ଼ିଥାଏ। ସେଥିପାଇଁ ସିଏ ତେଲମସଲା କି ଲୁଣ ପଡ଼ି ନ ଥିବା କେବଳ ପରିବାସିଝା ଖାଇବାକୁ ବେଶି ପସନ୍ଦ କରୁଥିଲେ। ଚିନି ମଧ୍ୟ ଗାନ୍ଧିଜୀଙ୍କର ସେତେ ପସନ୍ଦ ନ ଥିଲା, ଆବଶ୍ୟକ ପଡ଼ିଲେ ଚିନି ବଦଳରେ ସେ ଗୁଡ଼ ଖାଉଥିଲେ। କିନ୍ତୁ ସୂଚନାନୁଯାୟୀ, ପାଚିଲା ଆମ୍ବ କୁଆଡ଼େ ଗାନ୍ଧିଜୀଙ୍କର ଖୁବ୍‌ ପ୍ରିୟ ଥିଲା।

Share