ଜାତିସଂଘରେ ଗାନ୍ଧିଜୀଙ୍କ ହଲୋଗ୍ରାମ

ଜାତିସଂଘ, ୨ା୧୦: ଅହିଂସା ଓ ଶାନ୍ତିର ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ ଅବସରରେ ଜାତିସଂଘରେ ଗାନ୍ଧିଜୀଙ୍କୁ ସ୍ବତନ୍ତ୍ର ଭାବେ ଉପସ୍ଥାପନ କରାଯାଇଛି। ଅକ୍ଟୋବର ୨କୁ ସାରା ବିଶ୍ୱ ଅହିଂସା ଦିବସ ଭାବେ ପାଳନ କରୁଥିବାବେଳେ ଏହି ବୈଶ୍ୱିକ ସଙ୍ଗଠନର ମୁଖ୍ୟାଳୟରେ ପ୍ରୋଜେକ୍ଟରରେ ପ୍ରଥମ କରି ଗାନ୍ଧିଜୀଙ୍କ ହଲୋଗ୍ରାମ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ଭଏସ୍‌ ଓଭର ମାଧ୍ୟମରେ ଭାରତକୁ ସ୍ବାଧୀନତାର ସ୍ବାଦ ଚଖାଇଥିବା ଗାନ୍ଧିଜୀଙ୍କ ଶିକ୍ଷା ଓ ଅହିଂସା ବାର୍ତ୍ତା ବଣ୍ଟାଯାଇଥିଲା।
ଏବଂ ୟୁନେସ୍କୋ ମହାତ୍ମା ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଜୁକେଶନ ଫର୍‌ ପିସ୍‌ ଆଣ୍ଡ୍‌ ସସ୍‌ଟେନେବଲ ଡେଭେଲପମେଣ୍ଟ(ଏମ୍‌ଜିଆଇପି) ପାଇଁ ଥିବା ଭାରତର ସ୍ଥାୟୀ ମିଶନ ଦ୍ୱାରା ଆୟୋଜିତ ଏକ ଆଲୋଚନାରେ ଏହି ହଲୋଗ୍ରାମ ପ୍ରଦର୍ଶିତ ହୋଇଥିଲା। ସାକ୍ଷରତା ଶିକ୍ଷାର ଅନ୍ତ କିମ୍ବା ଆରମ୍ଭ ନୁହେଁ। ଏହାର ମାନେ ଜଣେ ଶିଶୁ ଏବଂ ବ୍ୟକ୍ତିଙ୍କ ଶରୀର, ମନ ତଥା ଆତ୍ମାର ବିକାଶ ବୋଲି ଗାନ୍ଧିଜୀଙ୍କ ହଲୋଗ୍ରାମ ବାର୍ତ୍ତା ଦେଇଥିଲା। ଗାନ୍ଧିଜୀଙ୍କ ଜୀବନ ଓ ଆଦର୍ଶ ଏକ ଶାନ୍ତିପୂର୍ଣ୍ଣ ଏବଂ ସହନଶୀଳ ପୃଥିବୀ ପାଇଁ ବାଟ ଖୋଲିଥାଏ ବୋଲି ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ୍‌ କହିଥିଲେ। ହେଲେ ଆମେ ସେହି ରାସ୍ତାରେ ନ ଯିବା ଦୁଃଖର କଥା। ଦୁନିଆ ଦିନକୁ ଦିନ ଅଧିକ ବିବାଦ ଓ ଜଳବାୟୁ ପରିବର୍ତ୍ତନର କରାଳ ରୂପ ଦେଖୁଛି। ବିଶ୍ୱ ସମୁଦାୟକୁ ଏକ ପରିବାର ଭାବେ ଏକାଠି ହୋଇ ଗାନ୍ଧିଜୀଙ୍କ ରାସ୍ତାରେ ଚାଲିବା ଉଚିତ ବୋଲି ସେ ପ୍ରକାଶ କରିଥିଲେ। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କାମ୍ବୋଜ୍‌ ଏହି ଆଲୋଚନାରେ ଉପସ୍ଥିତ ଥିଲେ। ଏମ୍‌ଜିଆଇପି ନିର୍ଦ୍ଦେଶକ ଅନନ୍ତ ଦୁରାଇପ୍ପାଙ୍କ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା ‘ମଣିଷର ବିକାଶରେ ଶିକ୍ଷା’। ୨୦୦୭ ଜୁନ୍‌ରେ ଜାତିସଂଘ ସାଧାରଣ ସଭାରେ ଅକ୍ଟୋବର ୨କୁ ଅନ୍ତର୍ଜାତୀୟ ଅହିଂସା ଦିବସ ଭାବେ ପାଳନ କରିବାକୁ ଏକ ପ୍ରସ୍ତାବ ପାରିତ ହୋଇଥିଲା। ଏହି ପ୍ରସ୍ତାବରେ ବାପୁଜୀଙ୍କ ଜନ୍ମଦିନରେ ଶିକ୍ଷା ତଥା ଜନସଚେତନତା ମାଧ୍ୟମରେ ସତ୍ୟ ତଥା ଅହିଂସା ବାର୍ତ୍ତା ସାରା ବିଶ୍ୱରେ ବିସ୍ତାର କରିବାକୁ କୁହାଯାଇଥିଲା।

Share