ଅଧାରେ ଅଟକିଛି ଗାନ୍ଧୀଙ୍କ ଥ୍ରୀ-ଡି ଭାସ୍କର୍ଯ୍ୟ

କଟକ ଅଫିସ,୧୯ା୮: କାଠଯୋଡ଼ି କୂଳରେ ବ୍ରୋଞ୍ଜ ତିଆରି ଥ୍ରୀ-ଡି ଭାସ୍କର୍ଯ୍ୟ କୃତୀ ସ୍ଥାପନ କରାଯିବ। ୨୦ ଫୁଟ ଚଉଡ଼ା ଓ ୧୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି କଳାକୃତିରେ ସ୍ଥାନ ପାଇବ ଗାନ୍ଧୀଜୀଙ୍କ କଟକ ଗସ୍ତ ସମୟର ସ୍ମୃତି। କଟକର ୧୮ ଜଣ ଶିଳ୍ପୀ ଏହି କୃତୀ ତିଆରି କରିବାରେ ଲାଗିଥିଲେ। କାଠଗଡ଼ା ସାହିସ୍ଥିତ ଶିଳ୍ପୀରେଖା ଷ୍ଟୁଡିଓରେ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଇଥିଲା। ମାତ୍ର ଅର୍ଥ ଅଭାବରୁ ଏହାର ନିର୍ମାଣ କାର୍ଯ୍ୟ ଆଗେଇପାରୁ ନାହିଁ। ଗତ ମାର୍ଚ୍ଚ ୨୩ରେ ଏହାର ଉଦ୍‌ଘାଟନ ପାଇଁ ଲକ୍ଷ୍ୟ ରହିଥିଲା; କିନ୍ତୁ ୫ ମାସ ବିତିବାକୁ ବସିଥିବା ବେଳେ ଏହି ଐତିହାସିକ ଭାସ୍କର୍ଯ୍ୟ କାମ ଅଧାରେ ପଡ଼ିଛି।
୧୯୨୧ରେ ଗାନ୍ଧିଜୀ ପ୍ରଥମଥର ଓଡ଼ିଶା ଗସ୍ତ କରିଥିଲେ। ସେହିବର୍ଷ ମାର୍ଚ୍ଚ ୨୩ରେ କଟକର କାଠଯୋଡ଼ି ପଠାରେ ଏକ ସାଧାରଣ ସଭା ହୋଇଥିଲା। ଏହି ସଭାକୁ ୧୦୦ ବର୍ଷ ପୂରିବାକୁ ଯାଉଛି। ଭାରତୀୟ ମୁକ୍ତି ସଂଗ୍ରାମ ସହ ଜଡ଼ିତ ଏଇ ଐତିହାସିକ ସଭାକୁ ସବୁଦିନ ପାଇଁ ସ୍ମରଣରେ ରଖିବାକୁ କଟକରେ ଏକ ଭାସ୍କର୍ଯ୍ୟ କୃତୀ ତିଆରି କରିବା ଲାଗି ଜିଲା ପ୍ରଶାସନ ପରିକଳ୍ପନା କରିଥିଲା। ଏହି ଥ୍ରୀ-ଡି ଭାସ୍କର୍ଯ୍ୟ କୃତୀ ପାଇଁ ୩୨ ଲକ୍ଷ ଟଙ୍କାର ବଜେଟ୍‌ କରାଯାଇଛି। ଉଲ୍ଲେଖନୀୟ କଥା ହେଉଛି, କାଠଯୋଡ଼ି ସଭାରେ ଗାନ୍ଧୀଙ୍କୁ କୁର୍ତ୍ତା ପିନ୍ଧି ବସିଥିବା ଓ ମୁଣ୍ଡରେ ଟୋପି ଥିବାର ଚିତ୍ର ଭାସ୍କର୍ଯ୍ୟରେ ଶୋଭା ପାଇବ। ଉତ୍କଳମଣି ଗୋପବନ୍ଧୁ ଦାସ ସଭାପତିତ୍ୱ କରୁଥିବା ଓ ସଭାରେ ଗାନ୍ଧିଜୀଙ୍କ ସହ ତାଙ୍କର ସହଧର୍ମିଣୀ କସ୍ତୁରବା ଗାନ୍ଧୀ, ଆଚାର୍ଯ୍ୟ ହରିହର, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର ଓ କୃପାସିନ୍ଧୁ ମିଶ୍ରଙ୍କ ଭଳି ବହୁ ମନିଷୀଙ୍କ ଉପସ୍ଥିତି ବେଳର ଦୃଶ୍ୟ କୃତୀରେ ସ୍ଥାନ ପାଇଛି। କାଠଗଡ଼ା ସାହିର ଶିଳ୍ପୀ ଶ୍ରୀକାନ୍ତ ରଣା ଓ ଲକ୍ଷ୍ମୀଧର ରଣା ଉକ୍ତ କାର୍ଯ୍ୟର ନେତୃତ୍ୱ ନେଇଛନ୍ତି। ରାଜ୍ୟ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ୩ ଜଣଆ କମିଟି କାଠଯୋଡ଼ିର ନେତାଜୀ ସୁଭାଷ ସେତୁ ନିକଟରେ ଉକ୍ତ ଭାସ୍କର୍ଯ୍ୟ ସ୍ଥାପନ ପାଇଁ ଜାଗା ଚିହ୍ନଟ କରିଛନ୍ତି। କିନ୍ତୁ ଅର୍ଥ ଅଭାବରୁ କାର୍ଯ୍ୟ ବନ୍ଦ ପଡ଼ିଛି। କେବେ ସୁଦ୍ଧା ଏହି କାର୍ଯ୍ୟ ସରିବ, ତାହା ସ୍ପଷ୍ଟ ହୋଇପାରୁ ନାହିଁ। ଅନ୍ୟପକ୍ଷରେ ଏହାର କାରିଗରଙ୍କୁ ସେପରି କୌଣସି ସରକାରୀ ସହାୟତା ଦିଆଯାଉ ନ ଥିବା ଯୋଗୁ କରୋନା ମହାମାରୀ ବେଳେ ସେମାନଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବା ଶିଳ୍ପୀ ଲକ୍ଷ୍ମୀଧର ରଣା କହିଛନ୍ତି। ଅଧାପନ୍ତରିଆ ଭାସ୍କର୍ଯ୍ୟ କୃତୀ ସମ୍ପର୍କରେ ଜିଲା ସଂସ୍କୃତି ଅଧିକାରୀ ଅନନ୍ତ ସେଠୀ କହିଛନ୍ତି, ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଏହାର ନିର୍ମାଣ ଦାୟିତ୍ୱରେ ରହିଛି। କଟକ ଜିଲା ପ୍ରଶାସନ ପକ୍ଷରୁ କେବଳ କାଠଯୋଡ଼ି କୂଳରେ ସ୍ଥାନ ଦେବାକୁ କୁହାଯାଇଥିଲା।

Share