ଲଣ୍ଡନ, ୨୨।୮: ସାରା ବିଶ୍ୱରେ ମହାତ୍ମା ଗାନ୍ଧୀଙ୍କ ବିଚାରଧାରା ଓ ଆଦର୍ଶକୁ ସମ୍ମାନ ଦେଉଥିବା ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି। ଇହଲୀଳା ସମ୍ବରଣ କରିବାର ଏତେବର୍ଷ ପରେ ମଧ୍ୟ ତାଙ୍କର ବିଚାରଧାରାକୁ ଏବେ ମଧ୍ୟ ପୂଜା କରାଯାଏ। ଗାନ୍ଧୀଙ୍କର ଏକ ଚଷମା ବ୍ରିଟେନରେ ୨ କୋଟି ୫୫ ଲକ୍ଷ ଟଙ୍କାରେ ନିଲାମୀ ହୋଇଛି। ଏଥିରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଲୋକପ୍ରିୟତା ବିଶ୍ୱରେ କେତେ ରହିଛି ତାହା ସହଜରେ ଅନୁମେୟ। ବ୍ରିଟେନର ବ୍ରିଷ୍ଟଲରେ ଅନୁଷ୍ଠିତ ନିଲାମୀରେ ଆମେରିକାର ଜଣେ କଲେକ୍ଟର ୨ କୋଟି ୫୫ ଲକ୍ଷ ଟଙ୍କା ମୂଲ୍ୟରେ ଏହି ଚଷମାକୁ କ୍ରୟ କରିଛନ୍ତି। ଗାନ୍ଧୀଜୀଙ୍କ ଚଷମାକୁ ନିଲାମ କରିଥିବା ଏଜେନ୍ସି ଇଷ୍ଟ ବ୍ରିଷ୍ଟଲ ପକ୍ଷରୁ ଦାବି କରାଯାଇଛି ଯେ, ବାପୁ ୧୯୦୦ ଦଶକରେ ଜଣେ ବ୍ୟକ୍ତିଙ୍କୁ ଉପହାର ଆକାରରେ ଏହି ଚଷମା ପ୍ରଦାନ କରିଥିଲେ। କୁହାଯାଏ, ଗାନ୍ଧୀ ଯେତେବେଳେ ୧୯୧୦ରୁ ୧୯୩୦ ମଧ୍ୟରେ ଦକ୍ଷିଣ ଆଫ୍ରିକାରେ କାମ କରୁଥିଲେ ସେତେବେଳେ ତାଙ୍କ ମାମୁଁ ତାଙ୍କୁ ଏହି ଚଷମା ଦେଇଥିଲେ। ଏହି ଚଷମା ୧୪ ଲକ୍ଷରୁ ଅଧିକ ମୂଲ୍ୟରେ ନିଲାମୀରେ ବିକ୍ରି ହେବ ବୋଲି ଇଷ୍ଟ ବ୍ରିଷ୍ଟଲ ନିଲାମୀ ଏଜେନ୍ସି ଆଶା ରଖିଥିଲେ। କିନ୍ତୁ ନିଲାମୀ ସମୟରେ ଏହା ୨ କୋଟି ଉପରେ ପହଞ୍ଚି ଯାଇଥିଲା। ଶେଷରେ ଆମେରିକାର ଜଣେ କଲେକ୍ଟର ଏହାକୁ ୨ କୋଟି ୫୫ ଲକ୍ଷ ଟଙ୍କାରେ କ୍ରୟ କରିଥିଲେ।