ଗାନ୍ଧୀଙ୍କ ଦର୍ଶନ, ବାର୍ତ୍ତା ବିଶ୍ୱକୁ ଶ୍ରେଷ୍ଠ ଦାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୩(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ଦର୍ଶନ ଏବଂ ବାର୍ତ୍ତା ବିଶ୍ୱକୁ ଭାରତର ଶ୍ରେଷ୍ଠ ଦାନ । ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶହେବର୍ଷ ପୂର୍ତ୍ତି ଉପଲକ୍ଷେ ମଙ୍ଗଳବାର ବିଧାନସଭାରେ ଆଗତ ସ୍ବତନ୍ତ୍ର ସଂକଳ୍ପ ଆଲୋଚନାରେ ଭାଗ ନେଇ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଗାନ୍ଧିଜୀଙ୍କ କାଳଜୟୀ ଦର୍ଶନକୁ ମନେପକାଇବା ପାଇଁ କଳିଙ୍ଗଠାରୁ ଆଉ ଭଲ ସ୍ଥାନ କ’ଣ ଥାଇପାରେ, ଯେଉଁଠାରେ ଦୁଇ ସହସ୍ର ବର୍ଷ ପୂର୍ବେ ଅଶୋକ ଯୁଦ୍ଧ ଛାଡ଼ି ଶାନ୍ତିର ମାର୍ଗ ଅନୁସରଣ କରିଥିଲେ। ଗାନ୍ଧିଜୀଙ୍କ ହୃଦୟରେ ଓଡ଼ିଶାର ସ୍ଥାନ ସ୍ବତନ୍ତ୍ର ଥିଲା। ଗାନ୍ଧିଜୀ ଓଡ଼ିଶାକୁ ପ୍ରଥମ ଥର ଲାଗି ୧୯୨୧ ମାର୍ଚ୍ଚ ୨୩ ତାରିଖରେ ଆସିଥିଲେ। ସେ ଓଡ଼ିଶାକୁ ମୋଟ ୮ଥର ଆସିଛନ୍ତି । ଏହି ସମୟରେ ସେ ଅନେକ ଜାଗା ବୁଲିଛନ୍ତି। ଏମିତି କି ଅନେକ ପଦଯାତ୍ରା କରି ଗାନ୍ଧିଜୀ ଓଡ଼ିଶା ଲୋକଙ୍କ ହୃଦୟର ନିକଟତର ହୋଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆଜି ଆମେ କୌଣସି ସାଧାରଣ ପରିସ୍ଥିତି ଦେଇ ଗତିକରୁ ନାହୁଁ। ମହାମାରୀର ମୁକାବିଲା ଏହି ଆହ୍ବାନର ସାମୂହିକ ରୂପକୁ ପ୍ରତିଫଳିତ କରୁଛି। ଏହା ମଧ୍ୟ ବିଶ୍ୱକୁ ମନେପକାଇ ଦେଇଛି ଯେ ଯଦି ଆମ ଜନସଂଖ୍ୟାର ଏକ ବଡ଼ ଅଂଶ ଦାରିଦ୍ର୍ୟ ଓ ଶଙ୍କାକୁଳ ଅବସ୍ଥାରେ ରୁହେ ତେବେ ଅଳ୍ପ କିଛି ଲୋକଙ୍କ ସମ୍ପତ୍ତି ଓ ବିକାଶ ମୂଲ୍ୟହୀନ। ଆମେ ସମସ୍ତେ ଗୋଟିଏ ସୂତ୍ରରେ ଯୋଡ଼ିହୋଇ ରହିଛେ। ଗାନ୍ଧୀଙ୍କ ଜୀବନ ଓ ଦର୍ଶନ ଆମ ପାଇଁ ପୂର୍ବାପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ବ୍ୟକ୍ତିଗତ ଲୋଭକୁ ଦୂର କରିବା ଉପରେ ଗାନ୍ଧିଜୀଙ୍କ ଗୁରୁତ୍ୱ ଏବଂ ସାଧାରଣ ଲୋକଙ୍କ ସମ୍ପର୍କରେ ଚିନ୍ତା କରିବା ପାଇଁ ତାଙ୍କର ଆହ୍ବାନ ଆମକୁ ବିଶ୍ୱକୁ ଆବଶ୍ୟକତା ସମ୍ପର୍କରେ ମନେପକାଇ ଦିଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ସମଗ୍ର ବିଶ୍ୱରେ ଧ୍ରୁବୀକରଣ ଓ ବିଭେଦୀକରଣ ବଢ଼ିଚାଲିଛି। ବହୁମତବାଦର ସୁରକ୍ଷା ପ୍ରତି ଗାନ୍ଧିଜୀଙ୍କ ବାର୍ତ୍ତା ସହନଶୀଳତା ଓ ସଦ୍‌ଭାବର ସେ ସମୟ ଅପେକ୍ଷା ବର୍ତ୍ତମାନ ସମୟରେ ଯଥେଷ୍ଟ ଆବଶ୍ୟକ ରହିଛି। ମହାତ୍ମାଙ୍କ ଅହିଂସା ସମଗ୍ର ବିଶ୍ୱରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ବିଦ୍ୟୁତ୍‌ ବେଗରେ ପ୍ରସାରିତ ହୋଇଥିଲା। ଏହି ଅବସରରେ ମାର୍ଟିନ ଲୁଥର କିଙ୍ଗ୍‌ (ଜୁନିୟର)ଙ୍କ କଥାକୁ ମନେପକାଉଛି। ସେ କହିଥିଲେ, ”ଯଦି ମାନବତାକୁ ଅଗ୍ରସର ହେବାକୁ ଅଛି ତେବେ ଗାନ୍ଧୀଙ୍କୁ ଛାଡ଼ି ହେବନାହିଁ। ଆମେ କେବଳ ନିଜ ପାଇଁ ବିପଦ ସୃଷ୍ଟିକରି ହିଁ ଗାନ୍ଧିଜୀଙ୍କୁ ଉପେକ୍ଷା କରି ପାରିବା। “ କିଙ୍ଗ୍‌ଙ୍କ ଏହି ମନ୍ତବ୍ୟ ଆଜିର ଦୁନିଆ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରାସଙ୍ଗିକ ।
ମହାତ୍ମା ଗାନ୍ଧୀ ୧୯୨୧ରେ ଯେତେବେଳେ ପ୍ରଥମଥର ଓଡ଼ିଶା ଆସିଥିଲେ ସେତେବେଳେ ଓଡ଼ିଶା ସ୍ବତନ୍ତ୍ର ରାଜ୍ୟ ହୋଇ ନ ଥିଲା। ୧୯୩୬ରେ ଓଡ଼ିଶାବାସୀଙ୍କର ସ୍ବପ୍ନ ସାକାର ହୋଇଥିଲା। ଯେତେବେଳେ ଗାନ୍ଧୀ ୧୯୪୬ ଜାନୁୟାରୀରେ ଶେଷ ଥର ପାଇଁ ଓଡ଼ିିଶା ଆସିଥିଲେ ସେତେବେଳକୁ ଓଡ଼ିଶା ଏକ ଭାଷାଭିତ୍ତିକ ସ୍ବତନ୍ତ୍ର ପ୍ରଦେଶ ହେବାର ଏକ ଦଶନ୍ଧି ପୂରଣ କରିସାରିଥିଲା। ଓଡ଼ିଶା କିଭଳି ନିଜର ଭାଷାଗତ ଓ ଆଞ୍ଚଳିକ ଆକାଂକ୍ଷା ସହିତ ଜାତୀୟ ଲକ୍ଷ୍ୟର ସମନ୍ବୟ ରକ୍ଷା କରିପାରିଥିଲା ତାହା ଏକ ଚମତ୍କାର କେସ୍‌ ଷ୍ଟଡି ଥିଲା । ଏହି ଅବସରରେ ରାଜ୍ୟ ସରକାର ମହାତ୍ମା ଗାନ୍ଧୀଙ୍କ ନୀତି ଓ ଆଦର୍ଶ ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧତା ଘୋଷଣା କରୁଛନ୍ତି। ସଚିବାଳୟକୁ ଲୋକସେବା ଭବନ ଭାବେ ନାମିତ କରିବା କେବଳ ଏକ ପ୍ରତୀକ ନ ଥିଲା। ଗାନ୍ଧିଜୀଙ୍କ ଆଦର୍ଶରେ ଏହା ଆମ ବିଶ୍ୱାସର ପ୍ରତିଫଳନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତକୁ ମଙ୍ଗଳବାର ୧୦୦ ବର୍ଷ ପୂରଣ ହୋଇଛି। ଏହି ଅବସରରେ ବିଧାନସଭାରେ ସର୍ବସମ୍ମତିକ୍ରମେ ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’କୁ ସ୍ଥାନିତ କରିବା ନେଇ ଏକ ସଂକଳ୍ପ ପାରିତ କରାଯାଇଛି। ବିଧାନସଭାର ପୂର୍ବ କାର୍ଯ୍ୟସୂଚୀକୁ ରଦ୍ଦ କରାଯାଇ ପ୍ରଥମାର୍ଦ୍ଧରେ ମହାତ୍ମା ଗାନ୍ଧୀଙ୍କ ଉପରେ ସ୍ବତନ୍ତ୍ର ଆଲୋଚନା କରାଯାଇଥିଲା। ଭାରତୀୟ ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’କୁ ସ୍ଥାନିତ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଧାନସଭାରେ ଏକ ସଂକଳ୍ପ ଆଣିଥିଲେ। ସେ କହିଥିଲେ ଯେ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ସହିତ ଅତି ନିବିଡ ସମ୍ପର୍କ ଥିଲା। ଓଡ଼ିଶାକୁ ବହୁବାର ଆସି ଅନେକ ଅଞ୍ଚଳକୁ ପଦଯାତ୍ରା କରି ଓଡ଼ିଶାବାସୀଙ୍କର ହୃଦୟରେ ସ୍ବତନ୍ତ୍ର ସ୍ଥାନ ଛାଡ଼ି ଯାଇଛନ୍ତି। ଆଜି ଅହିଂସା ଆମ ସମସ୍ତଙ୍କର ଆଦର୍ଶ ହେବା ଆବଶ୍ୟକ। ଅହିଂସା ବିନା ଦାରିଦ୍ର୍ୟ ଦୂର କରାଯାଇ ପାରିବ ନାହିଁ କିମ୍ବା ସାମାଜିକ ସମୃଦ୍ଧି ହାସଲ କରାଯାଇ ପାରିବ ନାହିଁ। କେବଳ ଅହିଂସା ଆଚରଣ ଦ୍ୱାରା ହିଁ ଶାନ୍ତି ପ୍ରତିଷ୍ଠା ସମ୍ଭବ। ମହାତ୍ମାଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ମହାସମାରୋହରେ ସାରା ଓଡ଼ିଶାରେ ପାଳନ କରାଯିବା ପାଇଁ ନୀତିଗତ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ସଂକଳ୍ପକୁ ସମର୍ଥନ କରି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଲେ, ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପୂର୍ତ୍ତି ପାଳନ ଅବସରରେ ଆମେ ଇତିହାସରେ କ’ଣ ଘଟିଲା ତା’ର ଉପସ୍ଥାପନା କରିବାରେ ଯେତିକି ଆବଶ୍ୟକତା ରହିଛି, ତା’ଠାରୁ କେଇଗୁଣା ତାଙ୍କ ବିଚାରକୁ କେତେଦୂର ପାଳନ କରୁଛେ ତା’ଠାରୁ ଅଧିକ ଆବଶ୍ୟକତା ରହିଛି। ରାଜ୍ୟ ସରକାରଙ୍କ ନୀତି ଗାନ୍ଧୀ ବିଚାର ଉପରେ କେତେ ପରିଲକ୍ଷିତ ହେଉଛି ତା’ ଉପରେ ତର୍ଜମା କରିବାର ଆବଶ୍ୟକତା ରହିଛି। ଗାନ୍ଧୀ ଜଣେ ବ୍ୟକ୍ତି ନୁହନ୍ତି ସେ ହେଉଛନ୍ତି ଏକ ବିଚାର। ଗାନ୍ଧୀଙ୍କ ବିଚାର ଉପରେ ଆଲୋଚନା କରିବାକୁ ହେଲେ ତାକୁ ସରକାରଙ୍କ ନୀତିରେ ପ୍ରତିଫଳିତ କରିବା ନାହିଁ, ଏହା ଲୋକଙ୍କ ଆଗରେ ମିଛ ନାଟକ ଭଳି ଲାଗିବ। ମଦ ବିଷୟରେ ଗାନ୍ଧୀ କହିଥିଲେ ”ଭାରତ ଗରିବ ହୋଇ ରହୁ ଏହାକୁ ମୁଁ ପସନ୍ଦ କରିବି, କିନ୍ତୁ ହଜାର ହଜାର ଲୋକ ମଦୁଆ ହୁଅନ୍ତୁ ଏହାକୁ ମୁଁ ବରଦାସ୍ତ କରିବି ନାହିଁ ।“ ରାଜ୍ୟ ସରକାର ମଦ ଟିକସ କିପରି ବଢ଼ିବ, ଲୋକେ କିପରି ଅଧିକ ମଦୁଆ ହେବେ, ଯିଏ ଅଧିକ ମଦ ବିକିବ ତାକୁ ପୁରସ୍କାର ଦେବା ନୀତିରେ ଚାଲୁଛନ୍ତି। ଗାନ୍ଧିଜୀଙ୍କ ପ୍ରତି ଏହା କି ପ୍ରକାର ଶ୍ରଦ୍ଧାଞ୍ଜଳି ବୋଲି ବିରୋଧୀ ଦଳ ନେତା ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯେଉଁଠି ଗୋ ହତ୍ୟା ନିରୋଧ ଆଇନ ଆସିଥିଲା। ମାତ୍ର ବର୍ତ୍ତମାନ ଓଡ଼ିଶାରୁ ସର୍ବାଧିକ ଗୋରୁ ଚାଲାଣ ହେଉଛନ୍ତି । ପୋଲିସ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ଗାନ୍ଧୀ କହିଥିଲେ, ଗାଈକୁ ମୁଁ ପୂଜା କରେ। ତା’ ପୂଜାର ସମର୍ଥନ କରିବା ପାଇଁ ସମଗ୍ର ବିଶ୍ୱର ମୁକାବିଲା କରିବାକୁ ପ୍ରସ୍ତୁତ ଅଛି। ରାଜ୍ୟରେ ସରକାରୀ ଭାଷାରେ ସରକାରୀ କାମ ହେଉଛି। ଓଡ଼ିଶାରେ ଓଡ଼ିଆ ଭାଷାର ଅଣଦେଖା ହେଉଛି । ହେଲେ ଗାନ୍ଧିଜୀ କହିଥିଲେ ଯେ ଇଂଲିଶ ବିନା ଆମର କାମ ଚଳିବ ନାହିଁ ବୋଲି ଆମେ ଯାହା ଭାବୁଛେ ତାହା ଆମ ମାନସିକତାର ପ୍ରତିଫଳନ। ଏହି ପରାଜୟବାଦକୁ ମୁଁ କେବେହେଲେ ସମର୍ଥ ନ ଦେବି ନାହିଁ। ଓଡ଼ିଶାରେ ଧର୍ମାନ୍ତରୀକରଣ ଏକ ସ୍ପର୍ଶକାତର ବିଷୟ ହୋଇଛି। ଧର୍ମାନ୍ତରୀକରଣ ମହାପାପ ବୋଲି ଗାନ୍ଧୀ କହିଥିଲେ।
ବିଜେଡି ସଭ୍ୟ ଦେବୀ ମିଶ୍ର କହିଲେ, ଗାନ୍ଧୀଙ୍କ ପାଇଁ ସମସ୍ତେ ଗର୍ବିତ ହେବା ଉଚିତ। ଗାନ୍ଧିଜୀଙ୍କର ମୃତ୍ୟୁ ହୋଇଛି ମାତ୍ର ଗାନ୍ଧୀବାଦର ମୃତ୍ୟୁ ହୋଇନାହିଁ ବୋଲି ସେ କହିଛନ୍ତି। ବିଜେଡି ସଭ୍ୟ ପ୍ରଫୁଲ୍ଲ ସାମଲ କହିଲେ, ଓଡ଼ିଶା ହେଉଛି ଗାନ୍ଧୀଙ୍କର ପ୍ରିୟତମ ସ୍ଥାନ। ଓଡ଼ିଶା ହେଉଛି ଏକ ତୀର୍ଥଭୂମି ବୋଲି ସେ କହୁଥିଲେ। ଓଡ଼ିଶା ସହିତ ଗାନ୍ଧୀଙ୍କର ସମ୍ପର୍କ ଇତିହାସର ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ ଯେ ମହାତ୍ମା ଗାନ୍ଧୀ ଜାତିବାଦକୁ ବିରୋଧ କରୁଥିଲେ। ପ୍ରକୃତ ସ୍ବରାଜ ବର୍ତ୍ତମାନ ସୁଦ୍ଧା ଆମେମାନେ ପାଇପାରୁ ନାହିଁ। ସମ୍ବିଧାନ ସଂଶୋଧନ କରାଯାଇ ଅହିଂସାକୁ ସ୍ଥାନିତ କରିବାକୁ ସଂକଳ୍ପ ଅଣାଯାଇଛି। ସମ୍ବିଧାନରେ ଯାହା ଅଛି ତାକୁ ପାଳନ କରାଯାଉ ନାହିଁ। ସେଗୁଡିକ କେବଳ କାଗଜକଲମରେ ସୀମିତ ହୋଇଗଲାଣି। ୧୯୪୮ ଜାନୁୟାରୀ ୩୦ ତାରିଖରେ ମହତ୍ମା ଗାନ୍ଧୀଙ୍କୁ ନାଥୁରାମ ଗଡ୍‌ସେ ଗୁଳିକରି ହତ୍ୟା କଲେ। ଜଣେ ଏମ୍‌ପି ମହାତ୍ମା ଗାନ୍ଧୀଙ୍କ ଫଟୋ ଉପରକୁ ଗୁଳି କଲେ। ପ୍ରଧାନମନ୍ତ୍ରୀ କହିଲେ ସେ ତାଙ୍କୁ କେବେ କ୍ଷମାଦେବେ ନାହିଁ। ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ଏବେ ସେ ଭାଜପାରେ ଅଛନ୍ତି। ଗଡ୍‌ସେ ନାମରେ ମନ୍ଦିର କରାଯାଉଛି। ତାଙ୍କ ଚିନ୍ତାଧାରାରେ ସରକାର ଏ ଦେଶରେ ଚାଲିଛି। ଗାନ୍ଧୀଙ୍କୁ ଯେଉଁମାନେ ମାରିଲେ ସେମାନେ ବର୍ତ୍ତମାନ ଶାସନ କରୁଛନ୍ତି। ଏହାକୁ ନେଇ ଭାଜପା ସଦସ୍ୟମାନେ ହୋହଲ୍ଲା କଲେ। ବାଚସ୍ପତି କହିଲେ, ମହାତ୍ମାଙ୍କୁ ହତ୍ୟା କରିଥିବା ଲୋକ ଶାସନ କରୁଥିବା ବିଷୟକୁ ରେକର୍ଡ କରାଯିବ ନାହିଁ। ନରସିଂହ ବସି ପଡିଲେ। ତେବେ ସ୍କୁଲ ପାଠ୍ୟକ୍ରମରେ ମହାତ୍ମା ଗାନ୍ଧୀଙ୍କ ବିଷୟ ପଢ଼ାଇବାକୁ ନରସିଂହ ପ୍ରସ୍ତାବ ଦେଇଥିଲେ। ଏହାପରେ ବିଭିନ୍ନ ଦଳର ସଭ୍ୟମାନେ ଗାନ୍ଧୀଙ୍କ ଜୀବନାଦର୍ଶ ଉପରେ ନିଜର ମନ୍ତବ୍ୟ ରଖିଥିଲେ। ଶେଷରେ ସର୍ବସମ୍ମତି କ୍ରମେ ସଂସ୍କୃତି ମନ୍ତ୍ରୀଙ୍କ ଦ୍ୱାରା ଆଗତ ସଂକଳ୍ପକୁ ପାରିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯମୁନା’ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ: ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ 

ବାରିପଦା,୧୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୋର୍‌ ଅଞ୍ଚଳରେ ଅବସ୍ଥିତ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଆଖପାଖ ସ୍ଥାନରେ ମହାବଳ ବାଘୁଣୀ ‘ଯମୁନା’କୁ ନେଇ...

ଶିମିଳିପାଳରେ ମହାରାଷ୍ଟ୍ରର ଦ୍ୱିତୀୟ ମହାବଳ ବାଘୁଣୀ

ବାରିପଦା,୧୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ମହାରାଷ୍ଟ୍ରର ଅନ୍ୟ ଏକ ମହାବଳ ବାଘୁଣୀ ‘ଗଙ୍ଗା’ ଗୁରୁବାର ରାତିରେ ପହଞ୍ଚତ୍ଛି। ସ୍ବତନ୍ତ୍ର ଟିମ୍‌...

ପାରାଦୀପରେ ହେବ ୨ ଲକ୍ଷ କୋଟିର ପୁଞ୍ଜି ନିବେଶ: ମୁଖ୍ୟମନ୍ତ୍ରୀ

ପାରାଦୀପ,୧୪ା୧୧: ଆଗାମୀ ଦିନରେ ପାରାଦୀପରେ ନିବେଶ ହେବ ୨ ଲକ୍ଷ କୋଟିର ପୁଞ୍ଜି। ଗୁରୁବାର କଳିଙ୍ଗ ବାଲିଯାତ୍ରାକୁ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଭକ୍ତଙ୍କ ଦାନରୁ ମିଳିଛି ୩୦୦ରୁ ଊର୍ଦ୍ଧ୍ୱ କେଜି ରୁପା: ଛାଉଣି ହେବ ରତ୍ନପଲଙ୍କ, ପତିତପାବନ ମନ୍ଦିର 

ପୁରୀ,୧୪ା୧୧(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭକ୍ତଙ୍କ ଦାନ...

ଚାଷୀଙ୍କ ସହ ଖେଳିଲେ ସିଧା ପଠାଯିବ ଜେଲ, ଏମିତି କାହିଁକି କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୧୧: ବିଜେଡିକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଚାଷୀଙ୍କ ସ୍ବାର୍ଥରେ ବାଧା ଆଣିଲେ ଜେଲ ପଠାଯିବ। ସମବାୟ ସପ୍ତାହରେ ସମବାୟ ବିଭାଗରେ ଦୁର୍ନୀତିଗ୍ରସ୍ତ...

ଓଡ଼ିଶାର ୨୪ ଉପକୂଳ ଗ୍ରାମକୁ ମିଳିଲା ସୁନାମି ପ୍ରସ୍ତୁତ ଟ୍ୟାଗ୍

ଭୁବନେଶ୍ୱର,୧୪।୧୧: ଇଣ୍ଡୋନେସିଆରେ ଅନୁଷ୍ଠିତ ଦ୍ୱିତୀୟ ଗ୍ଲୋବାଲ ସୁନାମି ସମ୍ମିଳନୀରେ ଓଡିଶାର ୬ ଟି ଜିଲାର ୨୪ ଟି ସୁନାମି ପ୍ରବଣ ଉପକୂଳବର୍ତ୍ତୀ ଗ୍ରାମଗୁଡିକୁ ମିଳିତ ଜାତିସଂଘର...

ହୋଟେଲ ବୟରୁ ବନିଥିଲେ ନକଲି ଡାକ୍ତର: ଧରାପଡି ଜେଲ୍ ଗଲେ

ବ୍ରହ୍ମପୁର,୧୪।୧୧ (ସୁବାସ ଚନ୍ଦ୍ର ପାଢ଼ୀ): ପୂର୍ବରୁ ଵ୍ରହ୍ମପୁର ପୋଲିସ ଗେଟ ବଜାର ମିତ୍ର ସାହିରେ କ୍ରିଷ୍ଣା ପାଇଲ୍ସ କ୍ଲିନିକ ଖୋଲିଥିବା ଜଣେ ନକଲି ଆୟୁର୍ବେଦିକ ଡାକ୍ତରଙ୍କୁ...

ସତ ହେଲା ଧରିତ୍ରୀରେ ପ୍ରକାଶିତ ଖବର: ତାରାତାରିଣୀ ମନ୍ଦିର ଚୋରି ଘଟଣାରେ ସେବାୟତ, ସୁରକ୍ଷାକର୍ମୀ ଗିରଫ

ପୁଷୋତ୍ତମପୁର,୧୪।୧୧: ଗଞ୍ଜାମ ଜିଲାର ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରୁ ମାଙ୍କ ରୁପା ଅଳଙ୍କାର ଚୋରି ସହ ହୁଣ୍ଡିକୁ ଭାଙ୍ଗି ସେଥିରେ ଥିବା ଭକ୍ତଙ୍କ ଦାନ ଟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri