ଢେଙ୍କାନାଳ ଅଫିସ,୬।୯: ଢେଙ୍କାନାଳ ସହରରେ ଗତ ୩୧ ତାରିଖରୁ ଆରମ୍ଭ ହୋଇ ୫ ତାରିଖ ପର୍ଯ୍ୟନ୍ତ ୩୯ଟି ପୂଜା ପ୍ରତିଷ୍ଠାନରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ଭସାଣି ଉତ୍ସବ ଆରମ୍ଭ ହୋଇଯାଇଛି। ସକାଳ ୮ଟା ସୁଦ୍ଧା ୩୩ ପୂଜା ପ୍ରତିଷ୍ଠାନର ମେଢ଼ ମିନିଷ୍ଟାଡିୟମରେ ପହଞ୍ଚିଥିଲା। ପରେ କ୍ରମିକ ନମ୍ବର ପାଇଁ ଲଟେରି ଉଠିଥିଲା। ଭସାଣି ଶୋଭାଯାତ୍ରାରେ ଯିବା ପାଇଁ ଲଟେରୀରେ ୧ନମ୍ବର ମେଢ ଭାବେ ବାଜିଚୌକ ପୂଜା ପ୍ରତିଷ୍ଠାନ, ୨ରେ ରାଧାକୃଷ ବଜାର ପୂଜା କମିଟି ଓ ୩ରେ ମା’ ସୁନ୍ଦରଶଣୀ କଲେଜ ପୂଜା କମିଟିଙ୍କ ଲଟେରି ଉଠିଥିଲା। ଏହାପରେ ଗଣେଶଙ୍କ ଆଜ୍ଞା ଲଡୁ ନିଲାମ କରାଯାଇଥିଲା। ୮ ହଜାର ଟଙ୍କାରେ ଗଣେଶ ବଜାର ପୂଜା କମିଟି ଆଜ୍ଞା ଲଡୁକୁ ନିଲାମରେ ନେଇଥିଲା ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ସରୋଜ କୁମାର ସେଠୀ, ସମ୍ମାନିତ ଅତିଥି ଭାବେ ଏସ୍ପି ଲୋଗାନଯାଗୀ ଦିବ୍ୟା ଭି, ଅତିରିକ୍ତ ଜିଲାପାଳ ଉଦୟ କୁମାର ପ୍ରଧାନ, ଉପ ଜିଲାପାଳ ସ୍ମିଗ୍ଧାରାଣୀ ଧଳ, ଅତିରିକ୍ତ ଏସ୍ପି ପୁରୁଷୋତ୍ତମ ସେଠୀ, ସଦର ଏସ୍ଡିପିଓ ବିକାଶ ବେଉରା, ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, ଜିଲା ସଂସ୍କୃତି ଅଧିକାରୀ ପ୍ରିୟ ମୂଦା ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଗଣେଶ ପୂଜା ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସୁଧାଂଶୁ ଦଳେଇ, ସମ୍ପାଦକ ବିଶନାଥ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରେ ମେଢ଼ଗୁଡ଼ିକ କ୍ରମିକ ନମ୍ବର ଅନୁଯାୟୀ ଶୋଭାଯାତ୍ରାରେ ଯାଇଥିଲା। ସନ୍ଧ୍ୟା ୭ଟା ସୁଦ୍ଧା ଭସାଣି ଉତ୍ସବ ଚାଳିବ।