ସିଙ୍ଗଲ ଓ୍ବିଣ୍ଡୋରେ ମିଳିବ ଗଣେଶ ପୂଜା ଅନୁମତି

ଜଟଣୀ,୧୦ା୯(ରବୀନ୍ଦ୍ର ନାଥ ମହାକୁଡ଼)ଆସନ୍ତା ୧୯ତାରିଖରେ ଗଣେଶ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଜଟଣୀ ସହର। ବିଭିନ୍ନ ବ୍ୟବସାୟୀ ସଂଘ, ସାହିବସ୍ତି ଓ କ୍ଲବ ପକ୍ଷରୁ ଧୁମଧାମରେ ଗଣେଶପୂଜା ପାଳନ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଏହି ପରିପ୍ରେକ୍ଷୀରେ ଗଣେଶ ପୂଜା ଓ ଭସାଣି ଉତ୍ସବକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ଶନିବାର ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଅଗ୍ରଓ୍ବାଲ ଧର୍ମଶାଳା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜୋନ-୩ ଏସିପି ପ୍ରଦୀପ ରାଉତଙ୍କ ସଭାତିତ୍ୱରେ ଆୟୋଜିତ ଏହି ବୈଠକରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଯୋଗଦେଇଥିଲେ। ଜଟଣୀ ନଗରପାଳ ଅନନ୍ତ ବେହେରା, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲୀପ ମହାନ୍ତି ଉପସ୍ଥିତ ଥିବା ବେଳେ ସ୍ଥାନୀୟ ଥାନା ଅଧିକାରୀ ସୌମ୍ୟକାନ୍ତ ବଳିୟାରସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଭିନ୍ନ ବ୍ୟବସାୟୀ ସଂଘ ପୂଜା କମିଟି ଏବଂ କ୍ଲବର ସଭାପତି, ସମ୍ପାଦକ ଯୋଗଦେଇ ଗଣେଶ ପୂଜା ସମୟରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ। ଚଳିତ ବର୍ଷ ସିଙ୍ଗଲ ଓ୍ବିଣ୍ଡୋ ବ୍ୟବସ୍ଥାରେ ଜଟଣୀ ଥାନା ପକ୍ଷରୁ ଗଣେଶ ପୂଜା ଏବଂ ଭସାଣି ଉତ୍ସବ ପାଇଁ ଅନୁମତିପତ୍ର ପ୍ରଦାନ କରାଯିବ ବୋଲି ଥାନା ଅଧିକାରୀ ବଳିୟାରସିଂ କହିଛନ୍ତି। ତୋରଣ ଏବଂ ପେଣ୍ଡାଲ ପାଇଁ ପିଡବ୍ଲ୍ୟୁଡି ପକ୍ଷରୁ ସୁରକ୍ଷା ପ୍ରମାଣପତ୍ର ନେବେ। ଥାନା ପରିସରରେ ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ ରୁମ ସହିତ ସମସ୍ତ ଜରୁରୀକାଳୀନ ବ୍ୟବସ୍ଥା କରାଯିବ। ଭସାଣି ଶୋଭାଯାତ୍ରାରେ ଅଶ୍ଳୀଳ ନୃତ୍ୟ, ପୋଷ୍ଟର ପ୍ରଦର୍ଶନ ନ କରିବା ପାଇଁ ମଧ୍ୟ ସମସ୍ତ ପୂଜା କମିଟିର ସଦସ୍ୟଙ୍କୁ ଅନୁରୋଧ କରାଯାଇଛି। ପୂଜାରେ ଜନସମାଗମକୁ ଦୃଷ୍ଟିରେ ରଖି ଗଣେଶ ଚତୁର୍ଥୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ କମିଶନରେଟ ପୋଲିସ ପକ୍ଷରୁ ୭ରୁ ୮ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ। ଆବଶ୍ୟକସ୍ଥଳେ ଅଧିକ ଫୋର୍ସ ଏବଂ ଅଧିକାରୀ ନିୟୋଜିତ ହେବେ ବୋଲି ଡିସିପି ସିଂ କହିଛନ୍ତି। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ରାତି ୯ଟା ପରିବର୍ତ୍ତେ ୧୧ଟା ପର୍ଯ୍ୟନ୍ତ ସିଟି ବସ୍‌ ଚଳାଚଳ ପାଇଁ ଉପସ୍ଥିତ ଅଧିକାରୀଙ୍କୁ ନଗରପାଳ ଅନୁରୋଧ କରିଥିଲେ। ସନ୍ଧ୍ୟା ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ କାଟ ନ ହେବା, ପୂଜା ସମୟରେ ସହର ଏବଂ ସମସ୍ତ ପୂଜା ପେଣ୍ଡାଲ ପରିସର ପୌର ପ୍ରଶାସନ ପକ୍ଷରୁ ସଫେଇ, ମୂର୍ତ୍ତି ବିସର୍ଜନ ପାଇଁ ଅଧିକ ଅସ୍ଥାୟୀ ପୁଷ୍କରଣୀ ନିର୍ମାଣ, ରାସ୍ତାରୁ ଜବରଦଖଲ ହଟାଇବା, ବିଭିନ୍ନ ପୂଜା ମଣ୍ଡପ ଓ ବଜାରରେ ପରିଶ୍ରାଗାର ସ୍ଥାପନ ଉପରେ ଆଲୋଚନା ହୋଇଥିଲା। ପୂଜା ସମୟରେ ସମସ୍ତ ପୂଜା ପେଣ୍ଡାଲ ଏବଂ ସହରରେ ପ୍ଲାଷ୍ଟିକ, ପଲିଥିନ ବ୍ୟବହାର ନ କରିବା, ପୂଜା ସମୟରେ ବିଭିନ୍ନ ମିନାବଜାର ଏବଂ ଅସ୍ଥାୟୀ ବ୍ୟବସାୟୀ ପ୍ରତିଷ୍ଠାନର ବ୍ୟକ୍ତି ମ୍ୟୁନିସିପାଲଟି ଆକ୍ଟ ୧୯୫୦ ମୁତାବକ ଟ୍ରେଡ୍‌ ଲାଇସେନ୍ସ ନେବା, ପୌର ପ୍ରଶାସନ ପକ୍ଷରୁ ନିୟମିତ ସଫେଇ ସହିତ ଅତିରିକ୍ତ ସଫେଇ ସମସ୍ତ ପୂଜା ମଣ୍ଡପରେ ରାତ୍ର ସମୟରେ କରାଯିବ ବୋଲି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲୀପ ମହାନ୍ତି କହିଛନ୍ତି।