ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ବିଘ୍ନରାଜଙ୍କୁ ପୂଜା କରାଯାଇଥାଏ। ଚଳିତବର୍ଷ ସେପ୍ଟେମ୍ବର ୧୦ରେ ପୂଜା ପାଇବେ ପ୍ରଭୁ ଗଜାନନ। ଗଣେଶଙ୍କୁ ଅଗ୍ରପୂଜ୍ୟ କୁହାଯାଏ। କାରଣ ସବୁ ପୂଜାରେ ଆଗେ ଗଣେଶଙ୍କୁ ପୂଜା କରାଯାଏ। ଏହିଦିନ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ବିଦ୍ୟାଳୟ, ମହାବିଦ୍ୟାଳୟରେ ପୂଜା ପାଆନ୍ତି ପ୍ରଭୁ ଗଣେଶ। ଗତବର୍ଷ ପରି ଚଳିତବର୍ଷ ମଧ୍ୟ କରୋନା ମହାମାରୀ ଯୋଗୁ ଆଡମ୍ବର ସହକାରେ ପୂଜା ନ କରିବା ପାଇଁ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଛି।
ତେବେ ଗଣେଶଙ୍କୁ ନେଇ ଅନେକ କାହାଣୀ ରହିଛି। ସେଥିମଧ୍ୟରୁ ଗୋଟିଏ କାହାଣୀ ହେଉଛି ଗଣେଶ ଦୁଇଟି ପତ୍ନୀ ଗ୍ରହଣ କରିବେ ବୋଲି ତାଙ୍କୁ ଅଭିଶାପ ମିଳିଥିଲା। ଏହି ଅଭିଶାପ ଦେବୀ ତୁଳସୀ ଦେବୀ ଦେଇଥିଲେ ଗଣେଶଙ୍କୁ। ତେବେ କାହିଁକି ଏପରି ଅଭିଶାପ ଦେଇଥିଲେ ଜାଣନ୍ତୁ ଏ ସମ୍ପର୍କରେ…
ଏକଦା ଗଣେଶ ଧ୍ୟାନମଗ୍ନ ଥିବାବେଳେ ଦେବୀ ତୁଳସୀ ସେହିବାଟ ଦେଇ ଯାଉଥିଲେ। ଗଣେଶଙ୍କ ରୂପରେ ବିମୋହିତ ହୋଇ ତୁଳସୀ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ମାତ୍ର ପ୍ରଭୁ ଗଣେଶ ଦେବୀ ତୁଳସୀଙ୍କ ଏହି ପ୍ରସ୍ତାବରେ ରାଜି ହୋଇ ନ ଥିଲେ। କାରଣ ଗଣେଶ ନିଜ ବିଶାଳକାୟ ଚେହେରାକୁ ନେଇ ପଶ୍ଚାତାପ କରୁଥିଲେ। ଏଣୁ ସେ ତୁଳସୀଙ୍କୁ ବିବାହ କରିବାକୁ ମନା କରି ଦେଇଥିଲେ। ଏକଥା ଦେବୀ ତୁଳସୀଙ୍କୁ ଖୁବ୍ ବାଧିଥିଲା। ତେଣୁ ସେ ରାଗିଯାଇ ଗଣେଶଙ୍କୁ ଅଭିଶାପ ଦେଇଥିଲେ କି ତୁମେ ଦୁଇଟି ବିବାହ କରିବ। ଗଣେଶ ପରବର୍ତ୍ତୀ ସମୟରେ ଏହି ଶାପ ଭୋଗ କରିଥିଲେ।