କେନ୍ଦୁଝର,୧୯ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସୋସୋ ଥାନା ଅଞ୍ଚଳରେ ବୁଧବାର ରାତିରେ ଜଣେ ୩୭ ବର୍ଷୀୟ ମହିଳାଙ୍କୁ ୩ ଯୁବକ ଗଣ ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି। ପୋଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ତଦନ୍ତ କରୁଛି।
ସୂଚନା ଅନୁଯାୟୀ, ମହିଳାଙ୍କ ଘର ମୟୂରଭଞ୍ଜ ଜିଲାରେ। ସେ ମକର ଯାତ୍ରା ଦେଖିବାକୁ ସୋସୋ ଥାନା ଅଞ୍ଚଳର ମାଉସୀ ଘରକୁ ଆସିଥିଲେ। ବୁଧବାର ରାତିରେ ମାଉସୀ ପୁଅ ଭାଇ ସହିତ ବଜାରକୁ ବୁଲିବାକୁ ଯାଇଥିଲେ। ସେଠାରେ କୌଣସି କାମରେ ତାଙ୍କ ଭାଇ ତାଙ୍କୁ ଛାଡ଼ି ଯାଇଥିବା ବେଳେ ୨ଯୁବକ ଏକ ବାଇକ୍ରେ ଆସି ତାଙ୍କୁ ଡାକି ଘରେ ଛାଡ଼ି ଦେବାକୁ କହିଥିଲେ। ସେ ମନା କରିବାରୁ ଜୋର୍ ଜବରଦସ୍ତ ଉଠାଇ ନେଇଥିଲେ। ଅନ୍ୟ ଜଣେ ଯୁବକ ପିଛା କରି ଯାଇଥିଲେ। ବାଲି ବାରେଇ ନିକଟ ଆମ୍ବ ବଗିଚାରେ ୩ଜଣ ବଳାତ୍କାର କରିଥିବା ଅଭିଯୋଗରେ ଦର୍ଶାଯାଇଛି। ମହିଳା ଜଣକ ଏକଥା ଘରେ ଜଣାଇବା ପରେ ମାଉସୀ ଘର ଲୋକେ ଥାନାରେ ଲିଖିତ ଏତଲା ଦେଇଛନ୍ତି। ପୋଲିସ ନଂ. ୧୧/୨୩ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଜଣେ ଯୁବକଙ୍କୁ ସନ୍ଦେହରେ ଅଟକ ରଖାଯାଇଥିବା ଥାନା ଅଧିକାରୀ ପ୍ରଦୀପ ସେଠୀ ସୂଚନା ଦେଇଛନ୍ତି।