ଆଜିଠୁ ଗଙ୍ଗାସାଗର ମେଳା

ଭୋଗରାଇ, ୮।୧(ଡି.ଏନ.ଏ.): ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲା ସାଗରଦ୍ୱୀପର ଗଙ୍ଗାସାଗର ମେଳା ରବିବାରଠାରୁ ସରକାରୀ ଭାବେ ଶୁଭାରମ୍ଭ ହେବ। କୋଭିଡ୍‌ ସଂକ୍ରମଣକୁ ସତର୍କ ଦୃ୍‌ଷ୍ଟିରେ ରଖି ଏହି ପ୍ରସିଦ୍ଧ ମେଳାରେ ବ୍ୟାପକ ସାନିଟାଇଜେଶନ୍‌ କରାଯିବା ସହିତ ମେଳାକୁ ତୀର୍ଥଯାତ୍ରୀଙ୍କ ସକାଶେ ପ୍ରତ୍ୟେକଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ଓ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି। ଗଙ୍ଗାସାଗରରେ ଲକ୍ଷାଧିକ ତୀର୍ଥଯାତ୍ରୀଙ୍କ ନିମନ୍ତେ ୧୧ଲକ୍ଷରୁ ଊର୍ଦ୍ଧ୍ୱ ଶୌଚାଗାର ସହ ଲକ୍ଷାଧିକ ବାସସ୍ଥାନ, ଅସ୍ଥାୟୀ ହୁଗୁଳା ଘର ନିର୍ମାଣ ହୋଇଛି। ଭାରତର ବିଭିନ୍ନ ରାଜ୍ୟରୁ ୩୦ଲକ୍ଷରୁ ଊର୍ଦ୍ଧ୍ୱ ତୀର୍ଥଯାତ୍ରୀ ଆଗମନର ସୂଚନା ମିଳିବା ପରେ ପ୍ରଶାସନ ତପତ୍ର ହୋଇପଡ଼ିଛି।
ସାଗର ମେଳା ପ୍ରବେଶ ପଥରେ ମେଟାଲ୍‌ ଡିଟେକ୍ଟର ସହ ଲଟ ନଂ.-୮, ନାମଖାନା, କାକଦ୍ୱୀପ, କଚୁବେଡ଼ିଆ, ଚେମାଗଡ଼ି, ଭାରତ ସେବା ଶ୍ରମ ସଂଘ ଶଙ୍କରାଚାର୍ଯ୍ୟ ଆଶ୍ରମ, କପିଳମୁନି ମନ୍ଦିର ଏବଂ ଭିଆଇପି ସ୍ଥାନଗୁଡ଼ିକରେ ୧୧୫୦ଟି ସିସି କ୍ୟାମେରା, ୨୨ଟି ଡ୍ରୋନ୍‌, ୪ଟା ଜଳ ଆମ୍ବୁଲାନ୍ସ, ଗୋଟିଏ ଆକା ପଥ ଆମ୍ବୁଲାନ୍ସ, ୮ହଜାରରୁ ଉର୍ଦ୍ଧ୍ୱ ପୋଲିସ, ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ସ୍କ୍ବାର୍ଡ଼, ସହ ସାଗର ବନ୍ଧୁ ନାମିତ ୮ଶହ ଜଣିଆ ଟିମ୍‌ ପ୍ରସ୍ତୁତ ରହି ପୁଣ୍ୟାର୍ଥୀଙ୍କୁ ସାହାଯ୍ୟ ସହଯୋଗ ଓ ନଜର ରଖାଯାଇଥିବାର ଜିଲାପାଳ ସୁମିତ ଗୁପ୍ତା ‘ଧରିତ୍ରୀ’କୁ ସୂଚନା ଦେଇଛନ୍ତି। ଏଥିସହିତ କୋଲକାତାରୁ ଗଙ୍ଗାସାଗର ତୀର୍ଥଯାତ୍ରୀଙ୍କ ପାଇଁ ୨ହଜାର ବସ୍‌, ଜଳପଥ ମୁଡ଼ିଗଙ୍ଗା ନଦୀ ପାର ହେବାକୁ ୧୦୦ଟି ଲଞ୍ଚ, ୩୨ଟି ଭେସେଲ୍‌ର ବ୍ୟବସ୍ଥା କରାଯାଇଛି।
ମେଳା ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩୨ଟି ଉଚ୍ଚସ୍ତରୀୟ କମିଟି ଗଠନ କରିଥିବା ବେଳେ ସୁନ୍ଦରବଣ ଉନ୍ନୟନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ବଙ୍କିମ ହାଜିରାଙ୍କୁ ଦାୟିତ୍ୱ ଦେଇଛନ୍ତି। ଏବେଠୁ ଗଙ୍ଗାସାଗର ମେଳାରେ ବହୁ ସାଧୁ, ସନ୍ଥ, ସନ୍ୟାସୀଙ୍କ ଆଗମନ ହୋଇଥିବା ବେଳେ ମେଳାର ୫ଟି ସ୍ଥାନରେ ୨୪ ଘଣ୍ଟିଆ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲା ଯାଇଛି। ୪କିମି ବ୍ୟାସାର୍ଦ୍ଧ ଗଙ୍ଗାସାଗର ବେଳାଭୂମିକୁ ଉଜ୍ୱଳ ଆଲୋକ ବ୍ୟବସ୍ଥା କରାଯାଇଛି। ମେଳାରେ ତୀର୍ଥଯାତ୍ରୀଙ୍କ ଆକସ୍ମିକ ମୃତ୍ୟୁ ଘଟିଲେ ୫ ଲକ୍ଷ ଟଙ୍କାର ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ରସଲପୁର-ମୟାଗାଲିନୀ ଯାତ୍ରୀବାହୀ ଲଞ୍ଚ ଫେରିଘାଟ ସୋମବାର ଠାରୁ ସରକାରୀ ଭାବେ ବନ୍ଦ କରାଯାଇଛି। ଏହି ପ୍ରସିଦ୍ଧ ମେଳା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ।

Share