Categories: ଜାତୀୟ

୨୦ ଲକ୍ଷର ସୁପାରି ନେଇଥିଲେ ଗ୍ୟାଙ୍ଗ୍‌ଷ୍ଟର ସଞ୍ଜୀବଙ୍କ ହତ୍ୟାକାରୀ

ଲକ୍ଷ୍ନୌ,୯ା୬: ଉତ୍ତର ପ୍ରଦେଶର ଲକ୍ଷ୍ନୌ କୋର୍ଟରେ ଗ୍ୟାଙ୍ଗ୍‌ଷ୍ଟର ସଞ୍ଜୀବ ଜୀଭାଙ୍କୁ ବୁଧବାର ୭ରୁ ୯ ରାଉଣ୍ଡ୍‌ ଗୁଳିକରି ହତ୍ୟା କରିଥିବା ବିଜୟ ଯାଦବ(୨୪)ଙ୍କୁ ପୋଲିସ ଗିରଫ କରିଛି। ଗ୍ୟାଙ୍ଗ୍‌ଷ୍ଟର ମୁଖ୍‌ତାର ଅନ୍‌ସାରୀଙ୍କ ସହଯୋଗୀ ସଞ୍ଜୀବଙ୍କୁ ହତ୍ୟା ପାଇଁ ତାଙ୍କୁ ୨୦ ଲକ୍ଷ ଟଙ୍କାର ସୁପାରି ଦିଆଯାଇଥିବା ସେ ପୋଲିସ ଆଗରେ ସ୍ବୀକାର କରିଛନ୍ତି। ବିଜୟ ବ୍ୟବହାର କରିଥିବା ଚେକ୍‌ରେ ନିର୍ମିତ ମ୍ୟାଗ୍‌ନମ୍‌ ଆଲ୍‌ଫା ରିଭଲଭରକୁ ପୋଲିସ ଅପରାଧସ୍ଥଳରୁ ତତ୍କାଳ ଜବତ କରିଥିଲା। ଗ୍ୟାଙ୍ଗ୍‌ଷ୍ଟରଙ୍କ ଦେହରେ ୮ଟି ଗୁଳି ବାଜିଥିଲା ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ଅଭିଯୁକ୍ତ ବିଜୟ ଯୌନପୁର ଅନ୍ତର୍ଗତ କେରାକାଟ ବାସିନ୍ଦା। ସେ କାମ ଖୋଜିବା ପାଇଁ ଲକ୍ଷ୍ନୌକୁ ଯାଇଥିବାବେଳେ କେହି ତାଙ୍କୁ ଏହି ସୁପାରି ଦେଇଥିଲେ। ପୂର୍ବରୁ ମଧ୍ୟ ବିଜୟଙ୍କ ଆପରାଧିକ ରେକର୍ଡ ରହିଥିବା ପୋଲିସ କହିଛି। ଅନ୍ୟପକ୍ଷେ ସଞ୍ଜୀବଙ୍କ ସ୍ତ୍ରୀ ପାୟଲ ମାହେଶ୍ୱରୀ ଏକ ଆପରାଧିକ ମାମଲାରେ ଆଗୁଆ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜଷ୍ଟିସ୍‌ ଅନିରୁଦ୍ଧ ବୋଷ ଓ ରାଜେଶ ବିଣ୍ଡାଲଙ୍କ ଖଣ୍ଡପୀଠରେ ଶୁକ୍ରବାର ତାଙ୍କ ଆବେଦନର ଶୁଣାଣି ହେବ।

Share