Categories: ଜାତୀୟ

ବିକାଶ ଦୁବେ ଏନ୍‌କାଉଣ୍ଟରରେ ପୋଲିସର ଭୁଲ ନ ଥିଲା

ଲକ୍ଷ୍ନୌ, ୨୦।୮: ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନ୍‌କାଉଣ୍ଟର ମାମଲାର ତଦନ୍ତ କରୁଥିବା ତିନିଜଣିଆ କମିଟି ଉତ୍ତରପ୍ରଦେଶ ପୋଲିସକୁ କ୍ଲିନ୍‌ଚିଟ୍‌ ଦେଇଛି। ଦୁବେଙ୍କ ମୃତ୍ୟୁକୁ ନେଇ ପୋଲିସ ଦର୍ଶାଇଥିବା କାରଣ ପ୍ରମାଣସିଦ୍ଧ ବୋଲି ତଦନ୍ତ କମିଟି କହିଛି। ତେବେ କାନପୁରରେ ଦୁବେ ଓ ତାଙ୍କ ସହଯୋଗୀଙ୍କ ଅତର୍କିତ ଆକ୍ରମଣରେ ୮ ପୋଲିସ ପ୍ରାଣ ହରାଇବା ସ୍ଥାନୀୟ ଗୋଇନ୍ଦା ବିଫଳତା ଓ ପୋଲିସର ଦୁର୍ବଳ ଯୋଜନା ପାଇଁ ଘଟିଥିଲା ବୋଲି କମିଟି ମତ ଦେଇଛି। ଉତ୍ତରପ୍ରଦେଶ ବିଧାନସଭାରେ ଗୁରୁବାର ଉକ୍ତ ରିପୋର୍ଟ ଉପସ୍ଥାପନ କରାଯାଇଛି। ଦୁବେ ଏନ୍‌କାଉଣ୍ଟର ଫେକ୍‌ ଥିଲା ବୋଲି ତାଙ୍କ ସ୍ତ୍ରୀ ରିଚା ଦୁବେ କୋର୍ଟରେ ସତ୍ୟପାଠ ଦାଖଲ କରିଥିବା ବେଳେ ସେ ତଦନ୍ତ କମିଶନଙ୍କ ନିକଟରେ ହାଜର ହୋଇ ନ ଥିଲେ। ଏନ୍‌କାଉଣ୍ଟର ସମ୍ପର୍କରେ ପୋଲିସ ବୟାନରେ କୌଣସି ସନ୍ଦେହ ନାହିଁ ବୋଲି କମିଶନ ସ୍ପଷ୍ଟ କରିଛନ୍ତି। କାନପୁର ନଗର ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ତାଙ୍କ ତଦନ୍ତରେ ମଧ୍ୟ ଅନୁରୂପ କଥା କହିଥିଲେ।

ସୂଚନାଯୋଗ୍ୟ, ଗୁରୁତର ଅପରାଧରେ ସମ୍ପୃକ୍ତ ଦୁବେଙ୍କୁ ଗିରଫ କରିବା ଲାଗି ଜୁଲାଇ ୨ ରାତିରେ ପୋଲିସ କାନପୁର ଜିଲାର ବିକ୍ରୁ ଗ୍ରାମକୁ ଯାଇଥିବା ବେଳେ ଗ୍ୟାଙ୍ଗଷ୍ଟର ଓ ତାଙ୍କ ଲୋକମାନେ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ଜଣେ ଡିଏସ୍‌ପିଙ୍କ ସମେତ ୮ ପୋଲିସ ପ୍ରାଣ ହରାଇଥିଲେ। ଦୁବେଙ୍କୁ ଉଜ୍ଜୟିନୀରୁ ଗିରଫ କରି କାନପୁର ନିଆଯାଉଥିବାବେଳେ ଉକ୍ତ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ସୁଯୋଗରେ ଦୁବେ ଖସି ପଳାଇବାକୁ ଉଦ୍ୟମ କରିବାରୁ ଏନ୍‌କାଉଣ୍ଟରରେ ନିହତ ହୋଇଥିବା ପୋଲିସ କହିଥିଲା।

Share