ବିବାଦରେ ‘ଗଙ୍ଗୁବାଈ କାଠିଆଓ୍ବାଡି’

ନୂଆଦିଲ୍ଲୀ, ୨୪ା୨: ଆସନ୍ତା ଶୁକ୍ରବାର ରିଲିଜ ହେବାକୁ ଥିବା ଫିଲ୍ମ ‘ଗଙ୍ଗୁବାଈ କାଠିଆଓ୍ବାଡି’ ବିବାଦରେ ଫସିଛି। ଏଥିରେ ଗଙ୍ଗୁବାଈଙ୍କୁ ଦେହଜୀବୀ ଦର୍ଶାଯାଇଥିବା ଅଭିଯୋଗ କରି ତାଙ୍କ ପାଳିତ ପୁଅ ରାବଜୀ ଶାହା କୋର୍ଟର ଦ୍ୱାରସ୍ଥ ହେବା ପରେ ଏହାର ରିଲିଜକୁ ନେଇ ଆଶଙ୍କା ଉପୁଜିଛି। ସୁପ୍ରିମକୋର୍ଟରେ ଏହି ମାମଲା ଥିବାବେଳେ ଚଳଚ୍ଚିତ୍ରର ନିର୍ମାତା ସଞ୍ଜୟ ଲୀଲା ଭସଁ।ଲୀ ଏହାର ଟାଇଟଲ ବଦଳାଇବାକୁ ସର୍ବୋଚ୍ଚ ଅଦାଲତ ପରାମର୍ଶ ଦେଇଛନ୍ତି। ଫିଲ୍ମର ରିଲିଜ ବନ୍ଦ କରିବାକୁ ଏକାଧିକ ପିଟିଶନ ଦାଖଲ ହୋଇଛି ଫିଲ୍ମରେ ଗଙ୍ଗୁବାଈଙ୍କୁ ଦେହଜୀବୀ ଦର୍ଶାଇ ତାଙ୍କ ସମ୍ମାନ ହାନି କରାଯାଇଥିବା ଆବେଦନରେ ଦର୍ଶାଯାଇଥିବାବେଳେ ସୁପ୍ରିମକୋର୍ଟ ବୁଧବାର ଏହାର ଶୁଣାଣି କରିଛନ୍ତି। ଫିଲ୍ମ ନାଁ ବଦଳାଇବା ସମ୍ପର୍କରେ ଭସଁ।ଲୀ ପ୍ରଡକ୍ସନର ଓକିଲ ସିଦ୍ଧାର୍ଥ ଡାଭେ ଫିଲ୍ମ ନିର୍ମାତାଙ୍କୁ ଜଣାଇବେ ବୋଲି କହିଛନ୍ତି। ଗୁରୁବାର ପୁଣି ଏହାର ଶୁଣାଣି ଚାଲିବ।

ନେହେରୁଙ୍କୁ ପ୍ରପୋଜ୍‌ କରିଥିଲେ ଗଙ୍ଗୁବାଈ

ମାଫିଆ କୁଇନ ଭାବେ ଜଣାଶୁଣା ଗଙ୍ଗୁବାଈ ଏକଦା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ବିବାହ ପ୍ରସ୍ତାବ ଦେଇ ଚର୍ଚ୍ଚାକୁ ଆସିଥିଲେ। ଗୁଜରାଟର କାଠିଆଓ୍ବାଡରେ ଜନ୍ମିତ ଗଙ୍ଗୁବାଈଙ୍କ ପ୍ରକୃତ ନାଁ ଗଙ୍ଗା ହରଜୀବନଦାସ। ୧୬ ବର୍ଷ ବୟସରେ ସେ ବାପାଙ୍କ ଆକାଉଣ୍ଟାଣ୍ଟ୍‌ ରାମନିକ୍‌ ଲାଲଙ୍କ ପ୍ରେମରେ ପଡ଼ି ମୁମ୍ବାଇ ପଳାଇଆସିଥିଲେ। କିନ୍ତୁ ରାମନିକ୍‌ ତାଙ୍କୁ ୫୦୦ ଟଙ୍କାରେ ବିକି ଦେଇଥିଲେ। ପରେ ସେ ମୁମ୍ବାଇରେ ଜଣେ ଦେହଜୀବୀ ଭାବେ କାମ ଆରମ୍ଭ କରିଥିଲେ। ତାଙ୍କ ଜୀବନୀ ଉପରେ ହୁସେନ୍‌ ଜାଇଦି ‘ମାଫିଆ କୁଇନ୍‌ସ୍‌ ଅଫ୍‌ ମୁମ୍ବାଇ’ ନାମରେ ଏକ ବହି ଲେଖିଛନ୍ତି। ଏଥିରୁ ଗଙ୍ଗୁବାଈ କାଠିଆଓ୍ବାଡି ଫିଲ୍ମ ନିର୍ମାଣ କରାଯାଇଛି। ଏଥିରେ ଆଲିଆ ଭଟ୍ଟ ଗଙ୍ଗୁବାଈଙ୍କ ଭୂମିକାରେ ଅଭିନୟ କରିଛନ୍ତି। କାମାଥିପୁରା ରେଡ୍‌ ଲାଇଟ୍‌ ଏରିଆରେ ଏକ ବଡ଼ ନାଁ ଥିଲେ ଗଙ୍ଗୁବାଈ। ଡନ୍‌ କରିମ ଲାଲା ତାଙ୍କୁ ଭଉଣୀ କରିଥିଲେ। ଏହି ବୃତ୍ତି ଛାଡ଼ି ନୂଆ ଜୀବନ ଆରମ୍ଭ କରିବାକୁ ନେହେରୁ ଗଙ୍ଗୁବାଈଙ୍କୁ କହିବାରୁ ଆପଣ ମୋତେ ବିବାହ କରିବେ କି ବୋଲି ସେ ପ୍ରଶ୍ନ କରିଥିଲେ।

Share