ନୂଆଦିଲ୍ଲୀ,୧୭।୧୧: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଆଇସିସି ପକ୍ଷକୁ ବଡ଼ ପଦବୀରେ ନିଯୁକ୍ତ କରାଯାଇଛି। ତାଙ୍କୁ ଆଇସିସି ପୁରୁଷ କ୍ରିକେଟ୍ କମିଟିର ଚେୟାରମ୍ୟାନ୍ ଭାବେ ବୁଧବାର ନିଯୁକ୍ତ କରାଯାଇଛି। ଆଇସିସି ପକ୍ଷରୁ ଟୁଇଟ୍ ଯୋଗେ ଏହି ସୂଚନା ଦିଆଯାଇଛି। ଫଳରେ ଗାଙ୍ଗୁଲି ନିଜ ସାଥୀ ଖେଳାଳି ଅନିଲ କୁମ୍ବଲେଙ୍କ ସ୍ଥାନ ନେବେ। କୁମ୍ବଲେ ଗତ ୩ ବର୍ଷ ହେବ ଏହି ପଦବୀରେ ଥିଲେ। ଆଇସିସି ଅଧ୍ୟକ୍ଷ ଗ୍ରେଗ୍ ବାର୍କଲେ କହିଛନ୍ତି, ମୋତେ ଆଇସିସି ପୁରୁଷ କ୍ରିକେଟ୍ ସମିତିର ଚେୟାରମ୍ୟାନ୍ ଭାବେ ଗାଙ୍ଗୁଲି ସ୍ବାଗତ କରି ଖୁସି ଲାଗୁଛି। ଗ୍ରେଗ କହିଛନ୍ତି, ଦୁନିଆର ଶ୍ରେଷ୍ଠ ଖେଳାଳି ଭାବରେ ଏବଂ ତା’ପରେ ଜଣେ ପ୍ରଶାସକ ଭାବରେ ତାଙ୍କର ଅଭିଜ୍ଞତା ଭବିଷ୍ୟତରେ କ୍ରିକେଟ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବ। ଆଇସିସି ମହିଳା କମିଟିରେ କ୍ରିକେଟ ୱେଷ୍ଟଇଣ୍ଡିଜ ସିଇଓ ଜନି ଗ୍ରେଭ ନିଯୁକ୍ତ ହୋଇଛନ୍ତି।