କୋଲକାତା,୨୮।୧: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ହସ୍ପିଟାଲରେ ତାଙ୍କର ଏକାଧିକ ଟେଷ୍ଟ କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସେଭଳି କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି କୋଲକାତା ଆପୋଲୋ ହସ୍ପିଟାଲ ତରଫରୁ କୁହାଯାଇଛି। ବୁଧବାର ରାତିରେ ସେ ହସ୍ପିଟାଲରେ ରହିବେ। ଗୁରୁବାର ଡାକ୍ତର ତାଙ୍କର ଏନ୍ଜିଓଗ୍ରାଫି କରିପାରନ୍ତି। ଜାନୁୟାରୀ ୨ ତାରିଖରେ ସେ ସାମାନ୍ୟ ହୃଦ୍ଘାତର ଶିକାର ହୋଇଥିଲେ ଓ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଏନ୍ଜିଓପ୍ଲାଷ୍ଟି କରାଯାଇଥିଲା। ଚିକିତ୍ସା କରାଯିବା ପରେ ତାଙ୍କୁ ୭ ତାରିଖରେ ରିଲିଜ୍ କରାଯାଇଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୪୮ ବର୍ଷୀୟ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଗାଙ୍ଗୁଲି ଡ୍ରାଇଭରଙ୍କ ପାଖ ସିଟ୍ରେ ବସି ନିଜ କାରରେ ହସ୍ପିଟାଲ ଆସିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଇମର୍ଜେନ୍ସି ରୁମ୍କୁ ନିଆଯାଇଥିଲା।