Categories: ଖେଳ

ପୂଜାରା, ରାହାନେଙ୍କ ଫର୍ମ ଉପରେ ମୁହଁ ଖୋଲିଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୩।୨: ବରିଷ୍ଠ ଟେଷ୍ଟ ବ୍ୟାଟର ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାନେ ଏବେ ଫର୍ମରେ ନାହାନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ଦୁହେଁ ୬ଟି ଇନିଂସ ଖେଳି କେବଳ ଗୋଟିଏ ଅର୍ଦ୍ଧଶତକ ହାସଲ କରିପାରିଥିଲେ। ଏଥିଯୋଗୁ ଟେଷ୍ଟ ଦଳରେ ଏମାନଙ୍କ ସ୍ଥାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏମାନଙ୍କ ଫର୍ମ ଉପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି।

“ଦୁହେଁ ଭଲ ଖେଳାଳି। ଆଶା କରୁଛି, ସେମାନେ ରଣଜୀ ଟ୍ରଫିରେ ଭଲ ପ୍ରଦର୍ଶନ କରି ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ। ମୁଁ ନିଶ୍ଚିତ ଅଛି ଯେ, ଦୁହେଁ ଭଲ ସ୍କୋର କରିବେ। ସେମାନଙ୍କ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ପରେ ଘରୋଇ କ୍ରିକେଟକୁ ଫେରିବାରେ କୌଣସି ଅସୁବିଧା ଥିବା ମୁଁ ଦେଖି ପାରୁନାହିଁ। ରଣଜୀ ଟ୍ରଫି ଏକ ଖୁବ୍‌ ବଡ଼ ଟୁର୍ନାମେଣ୍ଟ। ଆମେ ସମସ୍ତେ ଏଥିରେ ଖେଳିଛୁ। ଏଣୁ ସେମାନଙ୍କୁ ମଧ୍ୟ ଫେରିବାକୁ ପଡ଼ିବ। ଭଲ ପ୍ରଦର୍ଶନ ଦ୍ୱାରା ହିଁ ସେମାନେ ଜାତୀୟ ଦଳକୁ ଫେରି ପାରିବେ। ଦୁହେଁ ପୂର୍ବରୁ ମଧ୍ୟ ଏହି ଟୁର୍ନାମେଣ୍ଟରେ ଖେଳିଥିଲେ। ସେମାନେ ଦିନିକିଆ କିମ୍ବା ଟି୨୦ ଖେଳୁ ନାହାନ୍ତି। ଏଣୁ କୌଣସି ଅସୁବିଧା ହେବ ନାହିଁ ” ବୋଲି ପୂର୍ବତନ ଅଧିନାୟକ ଗାଙ୍ଗୁଲି କହିଛନ୍ତି।

 

Share