Categories: ଖେଳ

ଆଉ ଗୋଟିଏ ଦିନ ଡାକ୍ତରଖାନାରେ ରହିବାକୁ ଚାହୁଁଛନ୍ତି ଗାଙ୍ଗୁଲି

କୋଲକାତା,୬।୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଉ ଗୋଟିଏ ଦିନ ଡାକ୍ତରଖାନାରେ ରହିବାକୁ ଚାହୁଁଛନ୍ତି। ବୁଧବାର ପରିବର୍ତ୍ତେ ଗୁରୁବାର ଡାକ୍ତରଖାନାରୁ ଡିସଚାର୍ଜ କରାଯିବ। ସେ ବର୍ତ୍ତମାନ କୋଲକାତାର ଉଡ୍‌ଲ୍ୟାଣ୍ଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସାମାନ୍ୟ ହୃଦ୍‌ଘାତରେ ପୀଡିତ ହେବା ପରେ ତାଙ୍କୁ ଶନିବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ବୁଧବାର ସକାଳେ ଡାକ୍ତରଖାନା ପକ୍ଷରୁ କୁହାଯାଇଛି ଯେ, ଗାଙ୍ଗୁଲି ଆସନ୍ତାକାଲି (ଗୁରୁବାର) ଡିସ୍‌ଚାର୍ଜ ହେବେ। କାରଣ ସେ ଏଠାରେ ଆଉ ଗୋଟିଏ ଦିନ ରହିବାକୁ ଚାହୁଁଛନ୍ତି। ଡାକ୍ତରମାନେ ତାଙ୍କ ଉପରେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି ଏବଂ ସଠିକ୍‌ ସମୟରେ ସଠିକ୍‌ ପଦକ୍ଷେପ ନିଆଯାଉଛି।

ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ଦେବୀ ସେଟ୍ଟୀ କହିଛନ୍ତି ଯେ, ଗାଙ୍ଗୁଲି ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ସେ କହିଛନ୍ତି ଏହା ବଡ଼ ହୃଦଘାତ ନୁହେଁ। ଭବିଷ୍ୟତରେ ତାଙ୍କ ଜୀବନରେ କୌଣସି ପ୍ରଭାବ ପକାଇବ ନାହିଁ। ସେ ସାଧାରଣ ଜୀବନ ବିତାଇପାରିବେ। ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେବା ପରେ ଘରେ ଚିକିତ୍ସାରେ ରହିବେ।

Share