ଗଞ୍ଜେଇ ଭର୍ତ୍ତି କାର୍‌ ଜବତ, ଧରାପଡ଼ିଲେ ୩ ଅଭିଯୁକ୍ତ

ବ୍ରହ୍ମପୁର, ୪।୮(ସୁବାସ ଚନ୍ଦ୍ର ପାଢ଼ୀ): ଅବକାରୀ ଗୋଇନ୍ଦା ଡେପୁଟି କମିଶନର ଡମ୍ବରୁଧର ଖଣ୍ଡାଙ୍କ ନିର୍ଦ୍ଦେଶୟ କ୍ରମେ ଏକ ଟିମ୍‌ ଶୁକ୍ରବାର ଚଢ଼ାଉ କରି ଗଞ୍ଜେଇ ଭର୍ତ୍ତି ଏକ କାର୍‌କୁ ଜବତ କରିଛି। କାରରୁ ୨୧୦ କେଜି ଗଞ୍ଜେଇ ଜବତ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ମୟୂରଭଞ୍ଜ ବାଙ୍ଗିରିପୋଷି ଥାନା ଅଧୀନ ବେଗୁନାଡିହର ଅନ୍ତର୍ଯ୍ୟାମୀ ଦାସ(୩୨), ଉଦାଲିର ସତ୍ୟଜିତ ଗୋଚ୍ଛାୟତ(୨୦) ଏବଂ ଅଡ଼ିହର ହରକୃଷ୍ଣ ନାଇକ(୨୬)। ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା (ନଂ.୨୪୯/୨୩-୨୪) ରୁଜୁ କରି ଗିରଫ ଅଭିଯୁକ୍ତମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି।
ଘଟଣାରୁ ପ୍ରକାଶ ଯେ, ଅବକାରୀ ଗୋଇନ୍ଦା ଉପ ଅଧୀକ୍ଷକ କୁବେର ସେଠୀଙ୍କ ନେତୃତ୍ୱରେ ଏକ ଟିମ୍‌ ଶୁକ୍ରବାର ଗଞ୍ଜାମ ଜିଲା କୁକୁ ଛକରେ ଯାନବାହନ ଯାଞ୍ଚ କରୁଥିଲା। ସେତିକିବେଳେ ଉକ୍ତ ରାସ୍ତା ଦେଇ ବ୍ରହ୍ମପୁର ଆସୁଥିବା ଏକ ଫର୍ଟୁନ କାରକୁ(ନଂ.ଓଆର ୦୩ ଜେ- ୧୦୪୫) ଅଟକାଇ ଟିମ୍‌ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଗାଡିରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଥିଲା। ପରେ ଗାଢ଼ିରୁ ୨୧୦କେଜି ଗଞ୍ଜେଇ ଜବତ କରାଯାଇଥିଲା। ଅଭିଯୁକ୍ତ ମାନଙ୍କୁ ଜେରା ବେଳେ ସେମାନେ ଉକ୍ତ ଗଞ୍ଜେଇ କନ୍ଧମାଳରୁ ଆଣି ଦାରିଙ୍ଗିବାଡ଼ ହୋଇ ବ୍ରହ୍ମପୁର ଓ ପରେ କୋଲକାତା ଚାଲାଣ କରିଥାନ୍ତେ ବୋଲି ଅଧିକାରୀମାନେ ତଦନ୍ତ ବେଳେ ଜାଣିବାକୁ ପାଇଛନ୍ତି। ଜବତ ଗଞ୍ଜେଇ ଏବଂ କାର ମୂଲ୍ୟ ୫୧ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଗୋଇନ୍ଦା ଉପ ଅଧିକ୍ଷକ ସେଠୀ ସୂଚନା ଦେଇଛନ୍ତି। ଚଢ଼ାଉରେ ଅନ୍ୟମାନଙ୍କ ମଧ୍ୟରେ ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ , ଏସ୍‌ଆଇ ଅଜିତ କୁମାର ନାୟକ, କନଷ୍ଟେବଲ କପିଳାସ ଭତ୍ରା, ସନ୍ତୋଷ ନାୟକ, ବଳରାମ ଜେନା, କୁମୁଦ ଚନ୍ଦ୍ର ପ୍ରଧାନ, ସୁବ୍ରତ ବେହେରା ପ୍ରମୁଖ ସାମିଲ ଥିଲେ।