ଗଞ୍ଜାମ: ନୋଟାକୁ ଯାଇଛି ୨୫,୨୩୪ ଭୋଟ

ବ୍ରହ୍ମପୁର,୯ା୬(ଅଶୋକ କୁମାର ସାହୁ)ଗଞ୍ଜାମ ଜିଲାରେ ଦୁଇଟି ପର୍ଯ୍ୟାୟରେ ମତଦାନ ହୋଇଥିଲା। ଏହି ୨ ପର୍ଯ୍ୟାୟରେ ଜିଲାର ୧୩ ନିର୍ବାଚନମଣ୍ଡଳୀରେ ମତଦାନ ହୋଇଥିଲା। ଗତ ୪ ତାରିଖ ଭୋଟ ଗଣତି ପରେ ଜିଲାରେ ୨୫,୨୩୪ ଭୋଟ ନୋଟାକୁ ଯାଇଥିବା ଜଣାପଡିଛି। ଅର୍ଥାତ ଉପରୋକ୍ତ ସଂଖ୍ୟକ ଭୋଟର କୌଣସି ପ୍ରାର୍ଥୀଙ୍କୁ ପସନ୍ଦ କରିନାହାନ୍ତି। ସେଥିମଧ୍ୟରୁ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ଭୋଟର ନୋଟାକୁ ବାଛିଥିବା ବେଳେ ବ୍ରହ୍ମପୁରରେ ସର୍ବନିମ୍ନ ଭୋଟ ନୋଟାକୁ ଯାଇଛି।
ମେ ୧୩ ତାରିଖରେ ବ୍ରହ୍ମପୁର ଲୋକ ସଭା କ୍ଷେତ୍ର ଓ ମେ ୨୦ ତାରିଖରେ ଆସିକା ଲୋକ ସଭା କ୍ଷେତ୍ରରେ ଭୋଟ ଗ୍ରହଣ ହୋଇଥିଲା। ଭାରତ ନିର୍ବାଚନ କମଶନଙ୍କ ୱେବସାଇଟ ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ, ବ୍ରହ୍ମପୁର ବିଧାନସଭା କ୍ଷେତ୍ରରେ ସର୍ବନିମ୍ନ ୬୩୮ଟି ଭୋଟ ନୋଟାରେ ପଡିଥିବାବେଳେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୩୭୯୮ ଭୋଟ ପଡ଼ିଛି। ତେବେ ଏହି ଦୁଇ କ୍ଷେତ୍ରରେ ଭାଜପା ପ୍ରାର୍ଥୀଙ୍କ ବିଜୟ ହୋଇଛି। ସେହିପରି ଆସିକା ବିଧାନସଭା କ୍ଷେତ୍ରରେ ୧୯୨୨ ଖଣ୍ଡ ଭୋଟ, ଛତ୍ରପୁରରେ ୧୯୫୮, ଭଞ୍ଜନଗରରେ ୧୯୪୧, ଚିକିଟିରେ ୧୪୭୭, ଦିଗପହଣ୍ଡିରେ ୧୩୩୮, ଗୋପାଳପୁରରେ ୧୨୦୦, ହିଞ୍ଜିଳିରେ ୧୯୨୧, କବିସୂର୍ଯ୍ୟନଗରରେ ୨୦୩୮, ସାନଖେମୁଣ୍ଡିରେ ୨୭୨୪, ସୋରଡାରେ ୨୪୮୮ ଓ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୭୯୧ ଖଣ୍ଡ ଭୋଟ ନୋଟାରେ ପଡିଛି। ବ୍ରହ୍ମପୁର ବିଧାନସଭା କ୍ଷେତ୍ରରେ ଅଧିକ ଅର୍ଥାତ ୧୭ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିଲେ। ନିର୍ବାଚନ ପୂର୍ବରୁ ସେଭଳି ବଡ ଧରଣର ହିଂସା ଦେଖା ଦେଇ ନ ଥିବାରୁ ଅଧିକ ଭୋଟର ସେମାନଙ୍କ ପସନ୍ଦ ମୁତାବକ ପ୍ରାର୍ଥୀଙ୍କୁ ମତଦାନ କରିବାକୁ ଆଗେଇ ଆସିଥିଲେ। ଏଠାରେ ବିଜେଡିର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଭାଜପାର କେ.ଅନିଲ କୁମାର ଓ ସ୍ବାଧୀନ ପ୍ରାର୍ଥୀ ଶିବଶଙ୍କର ଦାସଙ୍କ ମଧ୍ୟରେ କଡା ମୁକାବିଲା ହୋଇଥିଲା। ତେଣୁ କମ ଭୋଟ ନୋଟାକୁ ଯାଇଥିବା ଅନୁମାନ କରାଯାଉଛି। ଏଠାରେ ଭାଜପା ପ୍ରାର୍ଥୀ କେ. ଅନିଲ ଜିତିଛନ୍ତି। ସେହିପରି ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ କେବଳ ୩ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ସେଠାରେ ନିର୍ବାଚନ ପୂର୍ବରୁ ହିଂସା ଦେଖାଦେଇଥିଲା। ଏପରି କି ହିଂସାରେ ଜଣକ ଜୀବନ ବି ଯାଇଥିଲା। ଗଣତାନ୍ତ୍ରିକ ରାଷ୍ଟ୍ରରେ ଏଭଳି ହିଂସାକୁ ଏଠାକାର ଅଧିକାଂଶ ଭୋଟର ପସନ୍ଦ କରି ନ ଥିଲେ। ତେଣୁ ଅଧିକ ଭୋଟ ନୋଟାରେ ପଡିଥିବା ଅନୁମାନ କରାଯାଉଛି। ଖଲ୍ଲିକୋଟରେ ବିଜେଡି ପୁରୁଣା ମୁହଁ ସୂର୍ଯ୍ୟମଣି ବୈଦ୍ୟଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେଡିରୁ ଯାଇ ଭାଜପାରେ ମିଶିଥିବା ପୂର୍ଣ୍ଣଚନ୍ଦ୍ର ସେଠୀ ଭାଜପାରୁ ଲଢ଼ୁଥିଲେ। ଦୁଇଜଣଙ୍କ ମଧ୍ୟରେ କଡା ମୁକାବିଲା ହୋଇଥିବାବେଳେ ଭାଜପାର ପୂର୍ଣ୍ଣଚନ୍ଦ୍ର ବିଜୟୀ ହୋଇଥିଲେ। ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭୋଟ ଗ୍ରହଣ ହେଉଥିଲେ ବି ଛୋଟବଡ ହିଂସାତ୍ମକ କାର୍ଯ୍ୟ ଯୋଗୁଁୁ ଅନେକ ଭୋଟର ମତଦାନ କରିବାକୁ ଯାଉଥିଲେ ବି କୌଣସି ପ୍ରାର୍ଥୀକୁ ପସନ୍ଦ ନ କରି ନୋଟାରେ ଭୋଟ ଦେଇଥିବା ମତ ପ୍ରକାଶ ପାଉଛି।

Share