ଭିଡିଓ ବାର୍ତ୍ତା ଜାରି କଲେ ଗଞ୍ଜାମ ଜିଲାପାଳ: କଣ୍ଟାକ୍ଟ ଡାଇରୀ ରଖିବାକୁ ପରାମର୍ଶ

ଛତ୍ରପୁର,୨୯ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଅଧିକ କରୋନା ସଂକ୍ରମିତ ଅଛନ୍ତି। ତେଣୁ ଜିଲାର ଜନସାଧାରଣ ସଚେତନ ହୋଇ ଘର ଛାଡି ବାହାରକୁ ବାହାରନ୍ତୁନି। ଆବଶ୍ୟକ ସାମଗ୍ରୀ ପାଇଁ ୧ କି.ମି. ମଧ୍ୟରେ ଯାଆନ୍ତୁ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ରବିବାର ରାତିରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଜାରି କରିଥିବା ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି । ଏଥିସହ ପ୍ରତ୍ୟେକ ବ୍ୟକ୍ତି କଣ୍ଟାକ୍ଟ ଡାଇରୀ ରଖିବାକୁ ସେ ପରାମର୍ଶ ଦେଇଛନ୍ତି । ସେହିପରି ବିଭିନ୍ନ ପ୍ରକାର ଜନ ସମାବେଶରେ କେହି ସାମିଲ ନ ହେବାକୁ ମଧ୍ୟ କହିଛନ୍ତି। ଏଥିରେ ଖିଲାପ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୋକାନୀ ମାସ୍କ, ଗ୍ଲୋବ୍‌ସ ନ ପିନ୍ଧିଲେ ଓ ସାମାଜିକ ଦୂରତ୍ୱ ରକ୍ଷା ଆଦି ନିୟମ ନ ମାନିଲେ ତାଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବ। ଏଥିସହ ୭ ଦିନ ପାଇଁ ଦୋକାନ ବନ୍ଦ ହେବ ଜିଲାପାଳ କହିଛନ୍ତି । କେହି କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଲେ ନ ଲୁଚାଇ ଆଶା କର୍ମୀଙ୍କୁ ଜଣାଇବାକୁ ମଧ୍ୟ କହିଛନ୍ତି।

Share