ଗଞ୍ଜାମ,୨୧।୭:(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ଉଗ୍ରରୂପ ଧାରଣ କରୁଛି। ମାତ୍ର ଗଞ୍ଜାମ ସହରରେ କରୋନା ସ୍ଥିତି ନିୟନ୍ତ୍ରଣ ରହିଛି। ଗତ ୫ ଦିନ ମଧ୍ୟରେ ସହରରେ ଗୋଟିଏ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇ ନାହାନ୍ତି। ଧୀରେ ଧୀରେ ସ୍ବଭାବିକ ଅବସ୍ଥାକୁ ଫେରୁଛି ସହର। ଜିଲା ପ୍ରଶାସନର କୋଭିଡ ନିୟମ ଓ କଟକଣା କୋହଳ ହେବା ପରେ ବଜାରରେ ବ୍ୟବସାୟ ପ୍ରତିଷ୍ଠାନ ଖୋଲିଛି। ସ୍ଥାନୀୟ ଅଞ୍ଚଳବାସୀ ମାକ୍ସ ପିନ୍ଧିବା ସହ ସାମାଜିକ ଦୂରତା ରଖି ବିଭିନ୍ନ ସାମଗ୍ରୀ କିଣୁଥିବା ଦେଖିବାକୁ ମିଳିଛି। ଏଥିପାଇଁ ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ସଚେତନ କରୁଛି। ସହରର କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମାତ୍ର ଏବେବି ୱାର୍ଡ ନ ୩, ୪ରେ କଣ୍ଟେନମେଣ୍ଟ ଜୋନ ବଳବତ୍ତର ରହିଛି । ଏଥିସହିତ ବଡ ବଜାର, ସାନ ବଜାର ମୁଖ୍ୟ ରାସ୍ତାରେ ବ୍ୟାରିକେଟ କରାଯାଇଛି। ସକାଳ ୬ ଟା ରୁ ଦିନ ୧ଟା ଯାଏ ଦୋକାନ ଖୋଲାଯିବା ନିୟମ ବଳବତ୍ତର ରହିଛି । ଏ ନେଇ ଗଞ୍ଜାମ ପୋଲିସ ପକ୍ଷରୁ ବିଭିନ୍ନ ୱାର୍ଡରେ ପାଟ୍ରୋଲିଂ କଡାକଡି କରାଯାଉଛି ।