ଏନ୍‌ଏସି ଅଧିକାରୀଙ୍କୁ ତାଗିଦ କଲେ ଜିଲାପାଳ, ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ

ଗୋପାଳପୁର,୪ା୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଶନିବାର ଗୋପାଳପୁର ଏନ୍‌ଏସିରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ  ସମୀକ୍ଷା କରି ଏନ୍‌ଏସି ଅଧିକାରୀଙ୍କୁ ତାଗିଦ କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ଏସି ପକ୍ଷରୁ ପାନ୍ଥନିବାସ ସମ୍ମୁଖରେ ପ୍ରାୟ ଦେଢ଼ ଏକର ପରିମିତ ସ୍ଥାନରେ ତିନି ବର୍ଷ ତଳେ ଏକ ସ୍ମାର୍ଟ ପାର୍କ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପାଣ୍ଠି ଅଭାବରୁ ଏହାର ନିର୍ମାଣ କାର୍ଯ୍ୟ ସରିପାରୁନାହିଁ। ଏହାର ନିର୍ମାଣ ନିମନ୍ତେ ଏନ୍‌ଏସି ପ୍ରଥମ ପର୍ଯ୍ୟାୟରେ ୭୨ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ ସହ ନିର୍ମାଣ କାମ ଆରମ୍ଭ କରିଥିଲା। ପରେ ବିଡିଏ ପକ୍ଷରୁ ଅତିରିକ୍ତ ୫୦ ଲକ୍ଷ ଟଙ୍କା ମିଳିଥିବା ବେଳେ ମୁକ୍ତା ଯୋଜନାରେ ମଧ୍ୟ ୩୫ ଲକ୍ଷ ଟଙ୍କା ପାଣ୍ଠି ବରାଦ କରାଯାଇ ନିର୍ମାଣ କାମ ଚାଲୁରହିଛି। କିନ୍ତୁ ପାର୍କର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ନିମନ୍ତେ ଅତିରିକ୍ତ ପାଣ୍ଠି ଦରକାର ପଡ଼ୁଥିବାରୁ ଏହାର କାର୍ଯ୍ୟ ଆଗେଇ ପାରୁ ନ ଥିଲା। ଜିଲାପାଳ ପାର୍କସ୍ଥଳ ପରିଦର୍ଶନ ସହ ସେଠାରେ ହେଉଥିବା କାମର ଅନୁଧ୍ୟାନ କରିବା ସହ ସରକାରୀ ସ୍ତରରେ ଅତିରିକ୍ତ ପାଣ୍ଠି ପ୍ରଦାନ କରାଯାଇ ତୁରନ୍ତ ଆସନ୍ତା ୨ ମାସ ମଧ୍ୟରେ ଏହାର ଉଦ୍‌ଘାଟନୀ କରାଯିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଅନ୍ୟ ପଟେ ମିନି ଷ୍ଟାଡିୟମରେଠାରେ ୨୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣାଧୀନ ଭେଣ୍ଡିଂ ଜୋନ୍‌ କାମ ମଧ୍ୟ ବୁଲି ଦେଖିବା ସହ ତୁରନ୍ତ ଏହାକୁ ସ୍ଥାନୀୟ ବ୍ୟବସାୟୀମାନଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଭି କୀର୍ତ୍ତି ଭାସନଙ୍କ ସମେତ ଏନ୍‌ଏସି ନିର୍ବାହୀ ଅଧିକାରୀ ଏବଂ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।