ଗଞ୍ଜାମ ଜିଲାକୁ ବନ୍ଦ ହେଲା ଟ୍ରେନ୍‌ ସେବା

ଭୁବନେଶ୍ୱର, ୮ା୭(ବ୍ୟୁରୋ)-ଗଞ୍ଜାମରେ କୋଭିଡ-୧୯ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଜିଲାରେ ଟ୍ରେନ୍‌ ସେବାକୁ ବନ୍ଦ କରାଯାଇଛି। ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲାର ସମସ୍ତ ଷ୍ଟେସନ ସହ ବାଲୁଗାଁ ଷ୍ଟେସନ ଠାରେ ଯାତ୍ରୀବାହୀ ଟ୍ରେନ ଗୁଡିକର ରହଣି ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ସରକାରଙ୍କ ଅନୁରୋଧକ୍ରମେ ପୂର୍ବତଟ ରେଳପଥ ପକ୍ଷରୁ ଜୁଲାଇ ୯ ତାରିଖଠାରୁ ସମସ୍ତ ଟ୍ରେନ୍‌ ସେବାକୁ ବାତିଲ କରାଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ନିଷ୍ପତ୍ତି ବଳବତ୍ତର ରହିବ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଗଞ୍ଜାମରେ ସ୍ଥିତି ସମ୍ଭାଳିବାକୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ସ୍ବତନ୍ତ୍ର ଟ୍ରେନକୁ ଭୁବନେଶ୍ୱରଠାରୁ ଜୁଲାଇ ୮ରୁ ଏବଂ ବ୍ରହ୍ମପୁରଠାରୁ ଜୁଲାଇ ୯ରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ କରାଯାଇଛି। ସେହିଭଳି ଭୁବନେଶ୍ୱର-ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ, ମୁମ୍ବାଇ-ଭୁବନେଶ୍ୱର ସ୍ବତନ୍ତ୍ର ଟ୍ରେନର ରହଣୀକୁ ବାଲୁଗାଁ, ଛତ୍ରପୁର ଓ ବ୍ରହ୍ମପୁରଠାରେ ଉଭୟ ଦିଗରୁ ଜୁଲାଇ ୯ ତାରିଖରୁ ବାତିଲ କରାଯାଇଛି। ହାଓଡ଼ା-ସିକନ୍ଦରାବାଦ-ହାଓଡ଼ା ସ୍ବତନ୍ତ୍ର ଟ୍ରେନର ରହଣିକୁ ବାଲୁଗାଁ ଓ ବ୍ରହ୍ମପୁର ଷ୍ଟେସନଠାରେ ୯ ତାରିଖଠାରୁ ଉଭୟ ପାର୍ଶ୍ୱରୁ ବାତିଲ କରାଯାଇଛି।

Share