ଭଞ୍ଜନଗର,୨୦।୩(ବାବୁଲା ପ୍ରଧାନ)-କୃଷି ବିଜ୍ଞାନ କେନ୍ଦ୍ର, ଗଞ୍ଜାମ-୧( ଭଞ୍ଜନଗର ) ତରଫରୁ କୃଷକ ଉତ୍ପାଦକ ସଙ୍ଗଠନକୁ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ଗଞ୍ଜାମ ଜିଲାସ୍ତରୀୟ ବୈଠକ ଗୁରୁବାର ଜଗନ୍ନାଥପ୍ରସାଦ ବ୍ଲକ ରାଜନପଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବେ ନାବାର୍ଡ ଡିଡିଏମ୍ ସଞ୍ଜିବ ମିଶ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ନାବାର୍ଡ କୃଷକ ଉତ୍ପାଦକ ସଙ୍ଗଠନକୁ କିପରି ସହାୟତା କରିପାରିବ ଓ ସଙ୍ଗଠନ କିପରି ସହଜରେ ସମସ୍ତଙ୍କ ପାଖରେ ପହଞ୍ଚି ପାରିବେ ସେ ବିଷୟରେ ଡିଡିଏମ୍ ମିଶ୍ର କହିଥିଲେ। ସମ୍ମାନୀତ ଅତିଥି ଭାବେ ଇତିଶ୍ରୀ ପ୍ରିୟଦର୍ଶିନୀ ଉପଉଦ୍ୟାନ ନିର୍ଦ୍ଦେଶକ, ଭଞ୍ଜନଗର ଯୋଗଦେଇ ବିଭାଗର ବିଭିନ୍ନ ଯୋଜନା ସମ୍ପର୍କ ରେ ଆଲୋଚନା କହିଥିଲେ। ଜଗନ୍ନାଥପ୍ରସାଦ ବ୍ଲକ ସହକାରୀ କୃଷି ଅଧିକାରୀ ଦିବ୍ୟ ଚେତନା ଏଥିରେ ଯୋଗଦେଇ ଚାଷୀ କିଭଳି କୃଷି ଉତ୍ପାଦନ ବୃଦ୍ଧି କରିବା ଏବଂ ସେମାନେ ଆର୍ଥିକ ସ୍ଥରରେ କିଭଳି ଲାଭବାନ ହୋଇପାରିବ ସେନେଇ କହିଥିଲେ।
କୃଷି ବିଜ୍ଞାନ କେନ୍ଦ୍ର ଗଞ୍ଜାମ-୧ ର ମୁଖ୍ୟ ଡ଼ଃ ସୁତନୁ କୁମାର ଶତପଥୀ ଅତିଥି ଭାବେ ଯୋଗଦେଇ କୃଷି ଓ ଆନୁସଙ୍ଗିକ କୃଷି ସମ୍ବନ୍ଧୀୟ ଯଦି କୈାଣସି ସହଯୋଗ ଆବଶ୍ୟକ ପଡେ ତେବେ କୃଷି ବିଜ୍ଞାନ କେନ୍ଦ୍ର ସହଯୋଗ କରିବ ବୋଲି କହିଥିଲେ। କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ଡ଼ଃ ସନ୍ତୋଷ କୁମାର ସାମନ୍ତରାୟ, ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଅଧିନସ୍ଥ କୃଷି ସମ୍ପ୍ରସାରଣ ନିର୍ଦେଶାଳୟ ଠାରେ କାର୍ଯ୍ୟରତ କୃଷକ ଉତ୍ପାଦକ କେନ୍ଦ୍ର ର ଉତ୍କର୍ଷ କେନ୍ଦ୍ର ର ଆଭିମୁଖ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ । ତତସହିତ ସେ କୃଷକ ଉତ୍ପାଦକ ସଙ୍ଘଗୁଡିକ କିପରି ଉନ୍ନତ ପନ୍ଥା ଅବଲମ୍ବନ କରି ଆଗକୁ ଅଗ୍ରସର ହୋଇପାରିବେ ସେ ସମ୍ପର୍କରେ ବୁଝାଇଥିଲେ । ସଭାକୁ ବି ମାସର ଦାଶରଥି ତ୍ରିପାଠୀ ପରିଚାଳନା କରିଥିଲେ।
