Advertisement

ଗଞ୍ଜାମ ଐତିହସିକ ଦୋଳଯାତ୍ରା: ଥାନା ପରେ ଏନଏସି ପକ୍ଷରୁ ଶାନ୍ତି କମିଟି ବୈଠକ

ଗଞ୍ଜାମ,୪।୩(ବିଦ୍ୟାଧର ସାହୁ): ମାର୍ଚ୍ଚ ୧୦ରୁ ଗଞ୍ଜାମ ସହରରେ ଆରମ୍ଭ ହେବ ଐତିହାସିକ ଦୋଳ ଯାତ୍ରା। ଏହି ଯାତ୍ରା ପାଞ୍ଚ ଦିନ ଧରି ଚାଲିବ। ଏଥିପାଇଁ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ବିଭିନ୍ନ ସାହିବାସୀ ଓ ଯାତ୍ରା ପରିଚାଳନା କମିଟିକୁ ନେଇ ଏକ ଶାନ୍ତି କମିଟି ବୈଠକ ପୂର୍ବରୁ ହୋଇଥିଲା। ସୋମବାର ଏନଏସି ପକ୍ଷରୁ ସଭା ଗୃହରେ ଶାନ୍ତି କମିଟିର ଏକ ବୈଠକ ବସି ସମସ୍ତଙ୍କ ସହାୟତା ଲୋଡ଼ା ଯାଇଥିଲା। ଏଥିରେ ଏନଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ ଅଧ୍ୟକ୍ଷତା କରିଥିଲେ। ନିର୍ବାହୀ ଅଧିକାରୀ ଅପର୍ଣ୍ଣା ଡାଙ୍ଗୁଆ ସଂଯୋଜନା କରିଥିଲେ। ଉପନଗରପାଳ ସୁରେନ୍ଦ୍ର ବାରିକି, ପ୍ରୋବେସନାରୀ ଆଇପିଏସ ମନୀଷ ସଗୁନ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ଅବକାରୀ ଅତରିକ୍ତ ଅଧୀକ୍ଷକ ଅଳକା ସୁନା, ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ବାଲକ ବିଶି, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ, ସେକ୍ସନ ସୁପର ଭାଇଜର ସୂର୍ଯ୍ୟ ନାରାୟଣ ବିଶୋୟୀ, ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ଆଶିଷ ବରାଳ, ମେଡିକାଲ ଆୟୁଷ ଡାକ୍ତର ବନଜକାନ୍ତ କର, ଏସ୍‌ଆଇ ସୁପ୍ରଭା ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ। ପ୍ରଥମେ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଶେଷ କରିବାକୁ ସବୁ ସାହି କମିଟିର ମତାମତ ଲୋଡ଼ିଥିଲା। ଯାତ୍ରା ସମୟରେ କୌଣସି ବିଶୃଙ୍ଖଳାକୁ ପ୍ରଶୟ ଦିଆଯିବ ନାହିଁ ବୋଲି ଥାନା ପକ୍ଷରୁ କୁହାଯାଇଥିଲା। ସମସ୍ତ ସାହି ଯାତ୍ରା ପୂର୍ବରୁ ସାଉଣ୍ଡ ପାଇଁ ଅନୁମତି ଆଣିବାକୁ କୁହାଯାଇଛି। ଯାତ୍ରା ସମୟରେ ସବୁ ମଦ ଦୋକାନ ବନ୍ଦ କରାଯିବାକୁ ଆଲୋଚନା ହୋଇଥିଲା। ଯଦି କୌଣସି ଲୋକ ମଦ୍ୟପାନ କରି ବିଶୃଙ୍ଖଳା କରେ ସେଥିପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବଜାର ଯାତ୍ରା ଦିନ କୌଣସି ବାଇକ କିମ୍ବା ଚାରି ଚକିଆ ଯାନ ବଜାର ମଧ୍ୟକୁ ପ୍ରବେଶ କରିପାରିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ପୂର୍ବ ନିର୍ଦ୍ଧାରିତ ସମୟରେ ସମସ୍ତ ସାହି ଦୋଳ ବିମାନ ଯାତ୍ରା ସ୍ଥଳୀଠାରେ ପହଞ୍ଚତ୍ବେ। ଦୋଳ ବିମାନ ଯିବା ସମୟରେ ପ୍ରତ୍ୟେକ ସାହିରେ ପୋଲିସ ମୁତୟନ କରାଯିବ। ଏହି ଦୋଳଯାତ୍ରାରେ ୧୨ଟି ୱାର୍ଡର ପ୍ରାୟ ୧୬ ମେଢ଼ ସ୍ଥାନ ପାଇବ। ସବୁ ସାହିର ଠାକୁରଙ୍କୁ ସୁସଜ୍ଜିତ ବିମାନରେ ବିରାଜମାନ କରାଯାଇ ଠାକୁର ବଜାରରେ ପହଞ୍ଚତ୍ବା ପରେ ବଜାର ଯାତ୍ରା ଅନୁଷ୍ଠିତ ହେବ। ତା ପୂର୍ବ ଦିନ ସାହି ଯାତ୍ରା ହେବ। ସାହି କମିଟି ପକ୍ଷରୁ ଗୌରୀ ଶଙ୍କର ବାରିକି, ଶିବରାମ ଜେନା, କୈଳାସ ସାହୁ, ମଦନ ପାଢ଼ୀ, ନୀଳାଞ୍ଚଳ ବାରିକି, ଅଜୟ ବାରିକି, ରାମଚନ୍ଦ୍ର ବେହେରା, ସଞ୍ଜୟ ପଣ୍ଡା, ନିରଞ୍ଜନ ପରିଡା, କାମା ରେଡ୍ଡୀ, ପପୁ ମହାନ୍ତି, ସୋନୁ ପାଢ଼ୀଙ୍କ ସମେତ ସମସ୍ତ ସାହିର କମିଟି ସଭ୍ୟ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share