ଗଞ୍ଜାମକୁ ୬ ଜାତୀୟ ପଞ୍ଚାୟତ ଆୱାର୍ଡ

ଛତ୍ରପୁର,୩।୪(ଡି.ଏନ.ଏ): ଭାରତ ସରକାରଙ୍କ ପକ୍ଷରୁ ଗଞ୍ଜାମ ଜିଲାକୁ ୬ଟି ଜାତୀୟ ପଞ୍ଚାୟତ ଆୱାର୍ଡ ମିଳିଛି। ଜିଲାର ହିଞ୍ଜିଳକାଟୁ, ଶେରଗଡ଼ ବ୍ଲକ ଓ ବଡଖଣ୍ଡି, ରାମଚନ୍ଦ୍ରପୁର, ଆଡ଼ପଡ଼ା ଏବଂ ବଡବୋରସିଙ୍ଗି ପଞ୍ଚାୟ ଏହି ମର୍ଯ୍ୟଦାସମ୍ପନ୍ନ ଆୱାର୍ଡ ପାଇଛି। ଆଓ୍ବାର୍ଡ ପାଇଥିବା ବ୍ଲକ ଓ ପଞ୍ଚାୟତଗୁଡିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି। ଓଡିଶାରେ ପଞ୍ଚାୟତିରାଜ ସଂସ୍ଥାକୁ କ୍ଷମତାଶୀଳ କରାଯାଇଥିବା ଏହି ସଫଳତା ପ୍ରତିପାଦିତ କରିଛିି ବୋଲି ଦର୍ଶାଇଛନ୍ତି। ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇବା ଓ ଭଲ କାର୍ଯ୍ୟ ପାଇଁ ହିଞ୍ଜିଳି, ଶେରଗଡ ବ୍ଲକ ଏବଂ ବଡ଼ଖଣ୍ଡି ଓ ରାମଚନ୍ଦ୍ରପୁର ପଞ୍ଚାୟତକୁ ଭାରତ ସରକାରଙ୍କ ପକ୍ଷରୁ ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସଶକ୍ତୀକରଣ ପୁରସ୍କାର ମିଳିଛି। ସେହପରି ନିଜ ଅଞ୍ଚଳରେ ସାମାଜିକ-ଅର୍ଥନୈତିକ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଡ଼ପଡ଼ା ପଞ୍ଚାୟତକୁ ନାନାଜୀ ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର-୨୦୨୧ ପ୍ରଦାନ କରାଯାଇଛି। ଏଥିସହ ପୋଷ୍ୟ ଶିଶୁ କାର୍ଯ୍ୟ ପାଇଁ ବଡ଼ବୋରସିଂ ପଞ୍ଚାୟତକୁ ଭାରତ ସରକାର ଚାଇଲ୍ଡ ଫ୍ରେଣ୍ଡଲି ଗ୍ରାମପଞ୍ଚାୟତ ଆୱାର୍ଡ ପ୍ରଦାନ କରିଛନ୍ତି। ସଫଳତା ପାଇଁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧେ ଦତାତ୍ରେୟ ଭାଉସାହେବ ମଧ୍ୟ ଉକ୍ତ ବ୍ଲକ ଓ ପଞ୍ଚାୟତ ଟିମ୍‌କୁ ପ୍ରଶଂସା କରିଛନ୍ତି।

Share