Categories: ଖେଳ

ଗଞ୍ଜାମ ଦଳଗତ ଚାମ୍ପିୟନ

ଭୁବନେଶ୍ୱର, ୧୯।୧୦ (ତପନ ସ୍ବାଇଁ): କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଭାରୋତ୍ତଳନ ସଙ୍ଘର ମିଳିତ ଆନୁକୂଲ୍ୟରେ ଓଡ଼ିଶା ରାଜ୍ୟ ଭାରୋତ୍ତଳନ ଚାମ୍ପିୟନଶିପ୍‌ ବୁଧବାର କଳିଙ୍ଗ ଷ୍ଟାଡିୟମ ସ୍ଥିତ ବିଜୁ ପଟ୍ଟନାୟକ ଭାରୋତ୍ତଳନ କେନ୍ଦ୍ରରେ ଉଦ୍‌ଯାପିତ ହୋଇଛି। ଏଥିରେ ୨୩ ସ୍ବର୍ଣ୍ଣ, ୨୨ ରୌପ୍ୟ ଓ ୧୩ ବ୍ରୋଞ୍ଜ ସହ ମୋଟ ୫୮ଟି ପଦକ ପାଇ ଗଞ୍ଜାମ ଦଳଗତ ଚାମ୍ପିୟନ ହୋଇଛି। ଖୋର୍ଦ୍ଧା ୫୨ (୧୯ ସ୍ବର୍ଣ୍ଣ, ୧୬ ରୌପ୍ୟ, ୧୭ ବ୍ରୋଞ୍ଜ) ଏବଂ ଢେଙ୍କାନାଳ ୧୮ (୫ ସ୍ବର୍ଣ୍ଣ, ୮ ରୌପ୍ୟ, ୫ ବ୍ରୋଞ୍ଜ) ପଦକ ପାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛି। ୪୦ କେଜି ୟୁଥ୍‌ ବାଳିକାରେ ପ୍ରୀତିସ୍ମିତା ଭୋଇ, ୮୧ କେଜି ୟୁଥ୍‌ ବାଳକରେ ହୃଦାନନ୍ଦ ଦାସ, ୪୯ କେଜି ଜୁନିୟର ମହିଳାରେ ସନ୍ଧ୍ୟାରାଣୀ ନାୟକ, ୮୧ କେଜି ଜୁନିୟର ପୁରୁଷରେ ହୃଦାନନ୍ଦ ଦାସ, ୫୫ କେଜି ସିନିୟର ମହିଳାରେ ସ୍ନେହା ସୋରେନ, ୬୧ କେଜି ସିନିୟର ପୁରୁଷରେ ମୁନା ନାୟକ ଶ୍ରେଷ୍ଠ ଲିଫ୍ଟର ବିବେଚିତ ହୋଇଛନ୍ତି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଆର. ଭିନିଲ କ୍ରିଷ୍ଣା, ପୂର୍ବତନ ଭାରୋତ୍ତୋଳନ ପଦକଧାରୀ ତଥା ଜାତୀୟ ରେଫରି ଏସ.ଭି. ଚନ୍ଦନା, କ୍ରୀଡ଼ା ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ, ଓଡ଼ିଶା ହକି ପ୍ରମୋଶନ କାଉନ୍‌ସିଲ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, କ୍ରୀଡ଼ା ଓ ଯୁବସେବା ବିଭାଗ ବୈଷୟିକ ନିର୍ଦ୍ଦେଶକ କଲୋନେଲ ଏ. ରାଜେଶ, ଭାରୋତ୍ତୋଳନ ଏଚ୍‌ସିପିର ଜିଏମ୍‌ କଲୋନେଲ ରାକେଶ ଶର୍ମା, କ୍ରୀଡ଼ା ବିଭାଗର ୟୁଗ୍ମ ସଚିବ ରଞ୍ଜିତ ପରିଡ଼ା, ଶୈଳେନ୍ଦ୍ର କୁମାର ଜେନା, ଓଡ଼ିଶା ଭାରୋତ୍ତୋଳନ ଆସୋସିଏଶନ ସଭାପତି ଚିତ୍ତ ରଞ୍ଜନ ସ୍ବାଇଁ, କାର୍ଯ୍ୟକାରୀ ସଭାପତି ନାରାୟଣ ସାହୁ, ସମ୍ପାଦକ କେ. ରବି କୁମାର ପ୍ରମୁଖ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

 

Share