ଫୁଲଚାଷ କରି ଗଞ୍ଜାମ ମହିଳା ଆତ୍ମନିର୍ଭର

ଛତ୍ରପୁର,୧୮ା୮(ଡି.ଏନ୍‌.ଏ.):ଗଞ୍ଜାମ ଜିଲାରେ ମହିଳା ସଂଘଗୁଡ଼ିକୁ ଆତ୍ମ ନିର୍ଭରଶୀଳ କରିବା ଲାଗି ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ଆନୁକୂଲ୍ୟରେ ବହୁ ପଦକ୍ଷେପ ନିଆଯାଉଛି । ଫୁଲଚାଷଠାରୁ ଆରମ୍ଭ କରି ଛତୁ, ଫଳ, ମାଛଚାଷ, କୁକୁଡା ପାଳନ, ବିଦ୍ୟୁତ ବିଲ୍‌ ଆଦାୟ, ଛତୁଆ ପ୍ରସ୍ତୁତ କରିବା ଆଦି ବିଭିନ୍ନ ରୋଜଗାର ପନ୍ଥା ଆପଣେଇ ମହିଳାମାନେ ସଶକ୍ତ ହେଉଛନ୍ତି। ଛତ୍ରପୁର ବ୍ଲକ ଭିକାରୀପଲ୍ଲୀ ପଞ୍ଚାୟତ ନୂଆପଲ୍ଲୀ ଗ୍ରାମର ଗ୍ରାମଦେବତୀ, ଭୈରବୀ ଓ ବାଳକୁମାରୀ ମହିଳାସଂଘ ଫୁଲଚାଷ କରି ପ୍ରଶଂସା ସାଉଁଟିଛି। ମହିଳା ସଂଘର ଗୋଲାପ, ଅର୍କିଡ୍‌ ଓ ଜାରବେରା ଫୁଲଚାଷକୁ ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପ୍ରଶଂସା କରିଛନ୍ତି। ୭୫ତମ ସ୍ବାଧୀନତା ଦିବସ ସମାରୋହ ଅବସରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଆତ୍ମନିର୍ଭର ଗ୍ରାମୀଣ ମହିଳା ସଫଳତା ଓ ପ୍ରେରଣାଭିତ୍ତିକ ଡକ୍ୟୁମେଣ୍ଟରେ ଗଞ୍ଜାମର ମହିଳା କିଭଳି ଫୁଲ ଚାଷ କରି ଆତ୍ମନିରର୍ଭଶୀଳ ହୋଇଛନ୍ତି ତାହା ଦର୍ଶାଯାଇଛି, ଯାହାକି ଅନ୍ୟ ମହିଳାମାନଙ୍କୁ ପ୍ରେରଣା ଦେବ। ସୂଚନାଯୋଗ୍ୟ, ଉପରୋକ୍ତ ୩ ମହିଳା ସଂଘର ୩୨ ସଦସ୍ୟା ଏଥିରେ ସାମିଲ ହୋଇଛନ୍ତି। ଫୁଲଚାଷ ପାଇଁ ମହିଳା ସଂଘ ଫେଡେରେଶନ ପକ୍ଷରୁ ୬.୫ ଲକ୍ଷ ଓ ୩ ଲକ୍ଷ ଟଙ୍କା ବ୍ୟାଙ୍କ ଋଣ ପ୍ରଦାନ କରାଯାଇଥିଲାା ୨୦୧୮ ମସିହାରେ ମହିଳା ସଂଘ ସଭ୍ୟାମାନେ ୧୨୦୦ ବର୍ଗମିଟର ଜମିରେ ଗୋଲାପ, ଅର୍କିଡ ଓ ଜାରବେରା ଫୁଲ ଚାଷ କରିଥିଲେ । ବର୍ଷକୁ ସେମାନେ ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱର କାରବାର କରୁଛନ୍ତି ।

Share