ବ୍ରହ୍ମପୁର ଅଫିସ୍,୧୬।୫: ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହରକୁ ସ୍ବଚ୍ଛ ରଖିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ୨୦୨୨ ସ୍ବଚ୍ଛ ସର୍ବେକ୍ଷେଣ କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ ହାସଲ କରିବା ପାଇଁ ସହରବାସୀଙ୍କ ପକ୍ଷରୁ ଭୋଟିଂ ସରିଛି। ତେବେ ବିଏମ୍ସି ପକ୍ଷରୁ ସଫେଇଠାରୁ ଆରମ୍ଭ କରି କର୍ମଚାରୀଙ୍କ ସୁରକ୍ଷା ପାଇଁ ସେମାନଙ୍କୁ ସ୍ବତନ୍ତ୍ର ପୋଷାକ, ଡ୍ରେନେଜ ସଫେଇ ନିମନ୍ତେ ଅତ୍ୟାଧୁନିକ ଯନ୍ତ୍ରପାତି ପ୍ରଦାନ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି। ଅନ୍ୟପଟେ ସହରର ବ୍ୟବସାୟ ପ୍ରତିଷ୍ଠାନ ଓ ରାସ୍ତା ଘାଟରେ ପଡି ରହିଥିବା ଶୁଖିଲା ଆବର୍ଜନା ସଂଗ୍ରହ ପାଇଁ ବିଏମ୍ସି ସାନିଟେଶନ ବିଭାଗ ପକ୍ଷରୁ ୩ଟି ଆଣ୍ଟି ଲିଟେରିଂ ଭାକ୍ୟୁମ କ୍ଲିନର ମେଶିନ ରଖାଯାଇଛି। ଏହା ଦ୍ୱାରା ରାସ୍ତାରେ ପଡିଥିବା ପଲିଥିନ, ଗୁଟଖା ଜରି, ଶୁଖିଲା ପତ୍ର ଓ ଅନ୍ୟାନ୍ୟ ଶୁଖିଲା ଆବର୍ଜନାକୁ ସହଜରେ ସଂଗ୍ରହ କରାଯାଇପାରିବ। ଏହି ମେଶିନ ସାହାଯ୍ୟରେ ସହରର ଅଳ୍ପ କେତେକ ସ୍ଥାନରେ ବ୍ୟବହାର କରାଯାଇ ଆବର୍ଜନା ସଂଗ୍ରହ କରାଯାଇଥିଲା।
ସୂଚନାଥାଉକି, ମେଶିନ ପାଇଁ ସାଧାରଣତଃ ୨ ଜଣ କର୍ମଚାରୀ ଆବଶ୍ୟକ ହୋଇଥାଏ। କିନ୍ତୁ ବର୍ତ୍ତମାନ ଏହି ମେଶିନ ବ୍ୟବହୃତ ହେଉ ନ ଥିବା ଦେଖିବାକୁ ମିଳିଛି। ମେଶିନ ଚଳାଇବା ପାଇଁ ତାଲିମପ୍ରାପ୍ତ କର୍ମଚାରୀ ଆବଶ୍ୟକ ଥିବା ବେଳେ ସଫେଇ କର୍ମଚାରୀଙ୍କ ଦ୍ୱାରା ଏହାକୁ ଚଳାଇବା ସମ୍ଭବ ହୋଇପାରୁ ନାହିଁ। ଫଳରେ ଲକ୍ଷାଧିକ ଟଙ୍କାର ଏହି ଭାକ୍ୟୁମ କ୍ଲିନର ମେଶିନ କାର୍ଯ୍ୟରେ ଲାଗୁ ନାହିଁ। ଫଳରେ ଆବର୍ଜନା ସଫେଇ କ୍ଷେତ୍ରରେ ଲକ୍ଷ୍ୟ ସାଧନ ହୋଇପାରି ନାହିଁ। ଫଳରେ ସହର ବିଭିନ୍ନ ଉଠା ଦୋକାନୀ ଓ ମୁଖ୍ୟ ରାସ୍ତା ଗୁଡିକରେ ଶୁଖିଲା ଆବର୍ଜନା ଏଣେତେଣେ ପଡି ସହରର ସ୍ବଚ୍ଛ ବାତାବରଣକୁ ପ୍ରଦୂଷିତ କରୁଥିବା ସାଧାରଣରେ ଅଭିଯୋଗ ହୋଇଛି। ଏପରିକି ବିଏମସି କାର୍ଯ୍ୟାଳୟ ପରିସରରେ ଅବ୍ୟବହୃତ ଭାବେ ଗୋଟିଏ ମେସିନ ପଡି ରହିଥିବା ଦେଖିବାକୁ ମିଳିଛି।
ଏ ନେଇ ବିଏମସି ସାନିଟେସନ ବିଭାଗର ସାଗରିକା ଖଣ୍ଡୁଆଳଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ବର୍ତ୍ତମାନ ଏହି ମେଶିନ ୨ ଜଣ କର୍ମଚାରୀଙ୍କ ଦ୍ୱାରା ବ୍ୟବହୃତ ହେଉଛି। ଆଗାମୀ ଦିନରେ ସଫେଇ କର୍ମଚାରୀଙ୍କୁ ମେଶିନ ସମ୍ପର୍କରେ ଠିକ ତାଲିମ ଦିଆଯିବା ପରେ ସହରର ବିଭିନ୍ନ ସ୍ଥାନରେ ବ୍ୟବହାର କରାଯିବ ବୋଲି ସେ କହିଛନ୍ତି।