ମେୟରଙ୍କ ଘର ନିକଟରେ ଅଳିଆଗଦା

ଭୁବନେଶ୍ୱର,୨୯।୫ (ବ୍ୟୁରୋ): ସହରକୁ ସ୍ବଚ୍ଛ ଓ ସୁନ୍ଦର କରି ଗଢି ତୋଳିବା ପାଇଁ ଅଣ୍ଟା ଭିଡୁଛି ବିଏମ୍‌ସି। ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସହିତ ସ୍ଲୋଗାନ ଏବଂ ଡୋର-ଟୁ-ଡୋର ବୁଲି ଅଳିଆ ସଂଗ୍ରହ କରୁଛି। ପ୍ରତ୍ୟେକ ଦିନ ଏହାକୁ ଟୁଇଟ୍‌ କରି ଲୋକଙ୍କ ପ୍ରଶଂସା ମଧ୍ୟ ସାଉଁଟୁଛି। ମାତ୍ର ଦୀପ ତଳ ଅନ୍ଧାର ଭଳି ଖୋଦ୍‌ ମେୟରଙ୍କ ଘର ନିକଟରେ ଅଳିଆ ଗଦା ହୋଇ ରହିଥିବା ଦେଖିବାକୁ ମିଳିଛି। ଓ୍ବାର୍ଡ ନଂ.୪୭ ଅନ୍ତର୍ଗତ ୟୁନିଟ-୫ ବସ୍ତି ନିକଟରେ ରାସ୍ତାକଡ଼ରେ କୁଢ଼ କୁଢ଼ ଅଳିଆ ଗଦା ହୋଇ ରହିଛି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଏହାର ଫଟୋ ଉଠାଇ ବିଏମ୍‌ସି, ମେୟରଙ୍କୁ ଟୁଇଟ୍‌ କରି ସମସ୍ୟା ଜଣାଇଛନ୍ତି। ଶୀଘ୍ର ଏହାର ସମାଧାନ ନ ହେଲେ ପରବର୍ତ୍ତୀ ଦିନରେ ଆନ୍ଦୋଳନ କରାଯିବ ବୋଲି ମଧ୍ୟ କୁହାଯାଇଛି। ତେବେ କେବଳ ଏହି ଅଞ୍ଚଳ ନୁହେଁ ସହରର ଅଧିକାଂଶ ଅଞ୍ଚଳ ବିଶେଷକରି ପୁରୁଣା ଭୁବନେଶ୍ୱର, ମଞ୍ଚେଶ୍ୱର, ପାଣ୍ଡବ ନଗର, ରବିଟକିଜ୍‌ ନିକଟ ଆଦି ବିଭିନ୍ନ ଅଞ୍ଚଳରେ ଅଳିଆ ପଡି ରହୁଥିବା ଦେଖାଯାଉଛି। ଏ ସମ୍ପର୍କରେ ମେୟର ସୁଲୋଚନା ଦାସ କହିଛନ୍ତି, ସହରରୁ ଦୈନିକ ଅଳିଆ କଢା ଯାଉଛି। ଏହାଛଡା ଯଦି କେଉଁଠାରେ ଅଳିଆ ରହିଯାଉଛି ଜନସାଧାରଣ ଆମକୁ ଜଣାନ୍ତୁ, ତୁରନ୍ତ ତାହାର ସମାଧାନ କରାଯିବ। ଅଳିଆ ପଡିବା ଏବଂ ଉଠାଇବା ଏକ ଦୈନିକ ପ୍ରକ୍ରିୟା। ତେଣୁ ଗୋଟିଏ ଦିନରେ ଏହା ସରିବ ନାହିଁ। ସମସ୍ତେ ସଚେତନ ହୁଅନ୍ତୁ ଏବଂ ଯେଉଁଠାରେ ବିଏମ୍‌ସିର ନଜର ପଡି ପାରୁନି ସେଠାରେ ଜନସାଧାରଣ ବିଏମ୍‌ସିକୁ ଅବଗତ କରାନ୍ତୁ ବୋଲି ମେୟର କହିଛନ୍ତି।
ଅପରପକ୍ଷେ ରବିବାର ବିଏମ୍‌ସି ପକ୍ଷରୁ ସୁକ୍ଷ୍ମେଶ୍ୱର ମନ୍ଦିର ପରିସରରେ ଗଣ ସଫେଇ କରାଯାଇଥିଲା। ମେୟରଙ୍କ ତତ୍ତ୍ୱାବଧାନରେ ପରିମଳ ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନ ବିରଞ୍ଚତ୍ ନାରାୟଣ ମହାସୁପକାର, ଅତିରିକ୍ତ କମିଶନର ଶୁଭେନ୍ଦୁ ସାହୁ, ଡେପୁଟି କମିଶନର ମନୋରଞ୍ଜନ ସାହୁ, ସ୍ଥାନୀୟ କର୍ପୋରେଟର, ସ୍ବଚ୍ଛସାଥୀ, ସ୍ବଚ୍ଛ ସୁପରଭାଇଜର, ମିଶନଶକ୍ତି ଗ୍ରୁପ୍‌ ଆଦି ମିଳିତଭାବେ ମନ୍ଦିର ପରିସରକୁ ସଫେଇ କରିଥିଲେ। ଏହାଦ୍ୱାରା ଗୋଷ୍ଠୀ ସହଭାଗିତାକୁ ଅଧିକ ସକ୍ରିୟ କରାଯାଇପାରିବ। ଆଗକୁ ବିଭିନ୍ନ ଓ୍ବାର୍ଡରେ ଏଭଳି ଗଣସଫେଇ କରାଯିବ ବୋଲି ମେୟର ଦାସ କହିଛନ୍ତି।

Share