ଲଡୁବାବାଙ୍କ ପୀଠରେ ଆବର୍ଜନା

ନୟାଗଡ,୧୦।୩(ଲୋକନାଥ ମିଶ୍ର)ଓଡିଶାର ପ୍ରସିଦ୍ଧ ଶୈବପୀଠ ଶରଣକୁଳସ୍ଥ ଲଡୁବାବାଙ୍କ ପୀଠ ଓ ଆଖପାଖ ଅଞ୍ଚଳ ମହା ଶିବରାତ୍ରି ପରଦିନ ଆବର୍ଜନାମୟ ହୋଇ ରହିଛି। ଆବର୍ଜନା ଦୁର୍ଗନ୍ଧରେ ନାକ ଫାଟି ପଡୁଛି। କେତେଜଣ ସ୍ବେଚ୍ଛାସେବୀ ଅବାର୍ଜନକୁ ଶନିବାର ସଫେଇ କରି ବାହାବା ନେଲେ। ଲୋକ ଦେଖାଣିଆ ସଫେଇ କରି ଅଳିଆ ଜମା କରି ଚାଲିଯିବା ଘଟଣା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ଅନ୍ୟପକ୍ଷେ ମନ୍ଦିର ପ୍ରଶାସନ ମଧ୍ୟ କିଛି ପଦକ୍ଷେପ ନେଇନାହିଁ। ଶଣଣକୁଳ ଲଡୁବାବା ମନ୍ଦିର ନିକଟସ୍ଥ ଶୌଚାଳୟ, ତଳବଜାର, ସୁଆରସାହି କନ୍ଦି, ଲଡୁବାବାଙ୍କ ପଛ ପାଖ ଓଁମ ଶାନ୍ତି ରାସ୍ତା, ମନ୍ଦିର ପୁଷ୍କରିଣୀ ହୁଡା, ମନ୍ଦିର ପ୍ରାଚୀର, ମନ୍ଦିର ସମ୍ମୁଖ, ଶରଣକୁଳ ଥାନା ପ୍ରାଚୀର ପାଖ, ନୂଆ ମାର୍କେଟ ଭିତରେ, ଫଳ ଦୋକାନ ଆଗରେ ଅଳିଆ ଜମା ହୋଇ ରହିଛି। ସ୍ବେଚ୍ଛାସେବୀମାନେ ସଫେଇ କରିଥିବା କିଛି ଅଞ୍ଚଳରେ ଆବାର୍ଜନାକୁ ଓଳେଇ ଜମା କରି ରଖାଯାଇଛି। ପ୍ରାୟ ୧୦୦ ଗଦା ଆବର୍ଜନା ଗଦା ହୋଇ ରହିଥିବାବେଳେ ସେଗୁଡିକ ପୁଣି ଗାଈ, କୁକୁର ଓ ଲୋକଙ୍କ ଯିବା ଆସିବାରେ ସବୁଆଡେ ବିଛେଇ ହୋଇ ଗନ୍ଧ ବାହାରିଲାଣି। ଲଡୁବାବାଙ୍କ ମହା ଶିବରାତ୍ରୀ ପର୍ବରେ ଲଡୁବାବାଙ୍କ ଦର୍ଶନ, ମହାଦୀପ ଦର୍ଶନ, ଦୀପ ଜାଳିବା, ଜାଗର ଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ଭିଡ ଜମେ। ହେଲେ ଏହାର ପରେ ଅବାର୍ଜନାକୁ ସଫେଇ କରା ନ ଯିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏଠାରେ ୧୫ଦିନ ଧରି ଜାଗର ଯାତ୍ରା ଚାଲୁ ରହିଥିବାରୁ ଲୋକମାନେ ଦୁର୍ଗନ୍ଧକୁ ଦେଖି ଆସିବାକୁ ମୁହଁ ମୋଡିଲେଣି ବୋଲି ଅଭିଯୋଗ ଉଠିଛି। ସେବାୟତ ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର କୁହନ୍ତି, ମହାଶିବରାତ୍ରୀରେ ଆବର୍ଜନା ପଡି ରହିଛି। ଶନିବାର କେତେଜର ସାମାଜିକ କର୍ମୀ ସଫେଇ କରି ଅଳିଆ ଗଦା କରି ଚାଲିଗଲେ। ହେଲେ ଅଳିଆ ନ ଉଠିବାରୁ ଦୁର୍ଗନ୍ଧ ବଢ଼ୁଛି। ଏହାର ତୁରନ୍ତ ପ୍ରତିକାର କରାଯାଉ।
ଦୋଳ ମଣ୍ଡପରେ ସେଲଫି ପଏଣ୍ଟକୁ ବିରୋଧ
ଲଡୁବାବା ମନ୍ଦିର ନିକଟସ୍ଥ ଦୋଳ ମଣ୍ଡପରେ ସେଲଫି ପଏଣ୍ଟକୁ ବିରୋଧ କରାଯାଇଥିଲା। ସେଲଫି ନେବା ପାଇଁ ଦୋଳ ମଣ୍ଡପରେ ଭିଡ ଜମିଥିଲା। ହେଲେ ଦୋଳ ମଣ୍ଡପକୁ ଚପଲ ପିନ୍ଧି ଯିବା ପରେ ପ୍ରତିବାଦ ଓ ଚାପା ଉତ୍ତେଜନା ଦେଖା ଦେଇଥିଲା। କିଛି ସମୟ ଚପଲ କାଢ଼ି କେତେଜଣ ଲୋକ ସେଲଫି ନେଇଥିଲେ। ଧୀରେ ଧୀରେ ଗହଳି କମିଗଲା। ପରେ ରାତିରେ ଏଠାରେ ବସି ଦୀପ ପ୍ରଜ୍ୱଳନ କରାଗଲା।
ଚିନ୍ତା ବଢାଇ ଦେଲା ଚୋରି
ମହା ଶିବରାତ୍ରୀ ପାଇଁ ଜଣେ ଡିଏସପି, ୩ ଇନ୍ସପେକ୍ଟର, ୯ ସବଇନ୍ସପେକ୍ଟର, ୨୧ ଏସ୍‌ଆଇ, ହାବିଲଦାର ୨, କନେଷ୍ଟବଳ ୪୩, ହୋମଗାର୍ଡ ୭୩, ଦେଢ଼ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ ହେଁ ଚୋରି ବଢ଼ିଥିଲା। ୧୧ଜଣ ଶିଶୁଙ୍କ ବେକରୁ ଲକେଟ ଚୋରି ହୋଇଛି। ସେହିଭଳି ୭ଜଣ ମହିଳାଙ୍କ ବେକରୁ ସୁନା ଚେନ ଓ ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ଉଠିଛି। ଶୁକ୍ରବାର ରାତିରେ ଭିଡ ଜମିଥିବାବେଳେ ଚୋରି ବଢ଼ିବା ଦେଖି ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

Share