ପାରାଦୀପ,୧୫।୧୦(ସ୍ବ.ପ୍ର.): ପାରାଦୀପ ଷଣ୍ଢକୁଦ ଉପକଣ୍ଠ କଂସାରୀପାଟିଆ ନଦୀ ଓ ଅନତି ଦୂରରେ ଥିବା ସମୁଦ୍ର ମଧ୍ୟସ୍ଥଳ ଅଞ୍ଚଳ ହେଉଛି ସଂରକ୍ଷିତ ଜଙ୍ଗଲ। ସେହି ସ୍ଥାନରେ ଜଙ୍ଗଲ ପରିବେଶ ବିଭାଗର ଫରେଷ୍ଟ ବିଟ୍ହାଉସ ରହିଛି। ବିଟ୍ହାଉସ ପାଖରେ ଜଙ୍ଗଲୀ ଜୀବଜନ୍ତୁ ପାଣି ପିଇବା ପାଇଁ ଖୋଳାଯାଇଛି ପୋଖରୀ। ବିଟ୍ହାଉସ ପାଖରେ କିଛି ବର୍ଷ ହେଲା ପାରାଦୀପ ପୌରପାଳିକା ପକ୍ଷରୁ ସହରର ସମସ୍ତ ବର୍ଜ୍ୟବସ୍ତୁ ଗଦା କରାଯାଉଛି। ପ୍ରାୟ ୧ କିମି ବ୍ୟାପି ରାସ୍ତା କଡରେ ଆବର୍ଜନା ଗଦା ହୋଇ ରହିବା ଯୋଗୁ ପୂତି ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଏସବୁ ଆବର୍ଜନାକୁ ବୁଲା କୁକୁର ଓ ଗୋରୁ ଖାଉଛନ୍ତି। ପବନରେ ପଲିଥିନ ଉଡ଼ିି ନିକଟସ୍ଥ ନଦୀ ଓ ସମୁଦ୍ରରେ ମିଶୁଛି। ସବୁଠାରୁ କୌତୂହଳ ହେଲା ବିଟ୍ହାଉସ ଗଲା କିଛି ଦିନ ହେଲା ବନ୍ଦ ରହିଛି। ତାର ଚତୁଃପାଶର୍ବରେ ଥିଲା ଝାଉଁ ଜଙ୍ଗଲ। ଏହାକୁ ଲୋକମାନେ କାଟି ନେବାରେ ଲାଗିଛନ୍ତି। ଏବେ ଆବର୍ଜନା ସେଠାରେ ପଡୁଥିବାରୁ ବିଟହାଉସ ଭୂତକୋଠିପରି ଦୃଶ୍ୟମାନ ହେଉଛି। ଏଭଳିସ୍ଥିତିରେ ତୈଳ ବିଶୋଧନାଗାର, ଜେଏସ୍ଡବ୍ଲ୍ୟୁ କମ୍ପାନୀ କର୍ମଚାରୀ, ଶ୍ରମିକ ଓ ଢ଼ିଙ୍କିଆ ଗଡକୁଜଙ୍ଗ ନୂଆଗାଁ ପଞ୍ଚାୟତ ଲୋକ ଉକ୍ତ ବାଟ ଦେଇ ଯାତାୟାତ କରୁଛନ୍ତି। ପାରାଦୀପ ପୌରପାଳିକା ୨୦୧୬ରୁ ଆବର୍ଜନା ପରିଚାଳନା ପାଇଁ ୩ଟି ଏମ୍ସିସି (ମ୍ୟୁନିସିପାଲିଟି କମ୍ପୋଷ୍ଟ ସେଣ୍ଟର) ନିିର୍ମାଣ କରିଛି। ଏହି ଏମ୍ସିସି ଦ୍ୱାରା ଓଦା ଶୁଖିଲା ଅଳିଆ ଅଲଗା କରାଯାଇ ତାକୁ ଖତ କରାଯାଉଛି। ତାକୁ ‘ମୋ ଖତ’ ବୋଲି ନାମିତ କରାଯାଇଛି। ରାଜ୍ୟରେ ପାରାଦୀପ ପୌରପାଳିକା ଏହି ଏମ୍ସିସି ପ୍ରକଳ୍ପ ପ୍ରଥମ କରି ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା। ଏପରିକି ୨୦୧୮ରେ ସ୍ବଚ୍ଛ ସହର ଭାବେ ରାଷ୍ଟ୍ରପତି ପୁରସ୍କାର ପାଇଥିଲା। କିନ୍ତୁ ପଲିଥିନ ପ୍ଲାଷ୍ଟିକର ପୁନଃ ବ୍ୟବହାର କରିବା ପାଇଁ ଘୋଷଣା ହୋଇଥିବା କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଏହାଦ୍ୱାରା ଠିକ୍ଭାବେ ପୌରାଞ୍ଚଳରୁ ସଂଗୃହୀତ ପଲିଥିନ ଓ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସବୁ କଂସାରୀପାଟିଆରେ ପକାଯାଉଛି।
ଏରସମା ତହସିଲ ଅଧୀନ ନଦୀ ଓ ସମୁଦ୍ର ମଧ୍ୟସ୍ଥଳ ସଂରକ୍ଷିତ ଜଙ୍ଗଲରେ ଏଭଳି ବର୍ଜ୍ୟବସ୍ତୁ ପକାଯିବା ସମ୍ପର୍କରେ ଜଙ୍ଗଲ ପରିବେଶ ବିଭାଗର କୁଜଙ୍ଗ ରେଞ୍ଜ ଅଧିକାରୀ ରଞ୍ଜନ ମିଶ୍ରଙ୍କୁ ପଚାରିଲେ ଆମେ କିଛି ଜାଣିନାହୁଁ ବୋଲି କହିଛନ୍ତି। ଅପରପକ୍ଷେ ବିଟହାଉସ କାହିଁକି ବନ୍ଦ ରହିଛି ପଚାରିଲେ, କିଛି କହିବେ ନାହିଁ ବୋଲି କହିଥିଲେ। ଆବର୍ଜନାଗୁଡିକୁ କଂସାରୀପାଟିଆରେ ପକାଯିବା ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ କାହ୍ନୁଚରଣ ଧୀରଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ମୋବାଇଲ୍ ଫୋନ ଉଠାଇ ନ ଥିଲେ।