ଗୋପ,୯।୨(ଡି.ଏନ୍.ଏ.): ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟାଳୟ ଭିତରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଗଦା ହେବା ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ପ୍ରକାଶ ଯେ, ସ୍ବାସ୍ଥ୍ୟକେନ୍ଦ୍ର ସହିତ ସ୍ବାସ୍ଥ୍ୟ କାର୍ଯ୍ୟାଳୟ ସ୍ବଚ୍ଛତା ପ୍ରତି ସରକାର ଗୁରୁତ୍ୱ ଦେଇ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ବିଭିନ୍ନ ସମୟରେ ରାଜ୍ୟ ଓ କେନ୍ଦ୍ର ପକ୍ଷରୁ ଆସୁଥିବା ବିଭିନ୍ନ ପ୍ରତିନିଧି ଦଳ ସ୍ବଚ୍ଛତା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଉଛନ୍ତି। ହେଲେ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରିଣୀ ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟାଳୟର ୨ଟି ଗେଟ୍ ସବୁ ସମୟରେ ଖୋଲା ରହିବା ଫଳରେ ଗୋପ ବଜାରରେ ଦୋକାନୀ କାର୍ଯ୍ୟାଳୟ ଭିତରେ ଏହି ଅଳିଆ ଫୋପାଡୁଛନ୍ତି। ଫଳରେ ଏପରି ପରିସ୍ଥିତି ଉପୁଜୁଛି। ଅପରପକ୍ଷରେ ୨ଟି ଗେଟ୍ରେ ନିଶାଗ୍ରସ୍ତ ଲୋକେ ପଶି ଆସର ଜମାଉଛନ୍ତି। ସାଧାରଣ ଲୋକେ ପରିସ୍ରା କରୁଥିବାରୁ କାର୍ଯ୍ୟାଳୟକୁ ବିଭିନ୍ନ କାମରେ ଆସୁଥିବା ଲୋକେ ଅସନ୍ତୁଷ୍ଟ ହେଉଛନ୍ତି। ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ପ୍ରତି ଗୁରୁତ୍ୱ ଦେବାକୁ ଜିଲା ଚିକିତ୍ସାଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ମଧ୍ୟ ଦାବି ହୋଇଛି। ଏ ସମ୍ପର୍କରେ ସ୍ବାସ୍ଥ୍ୟ ଅଧିକାରିଣୀ ଡା. ଜସ୍ମିନ୍ ଆଫ୍ରୋଜଙ୍କୁ ପଚାରିବାରେ, ଏଥିପ୍ରତି ଦୃଷ୍ଟି ଦେବେ ବୋଲି କହିଥିଲେ।