ରାଉରକେଲାରେ ବୃଦ୍ଧି ହେଉଛି ଆବର୍ଜନାଜନିତ ପ୍ରଦୂଷଣ

ରାଉରକେଲା, ୯ା୧୧(ବିପ୍ଳବରଞ୍ଜନ ଦାଶ): ଦିନକୁ ଦିନ ସ୍ମାର୍ଟସିଟି ରାଉରକେଲାରେ ଜନବସତି ବଢି ଚାଲିଛି। ଜନସଂଖ୍ୟା ବୃଦ୍ଧି ସହ ଅଳିଆ ଆବର୍ଜନା ମାତ୍ରା ବି ବୃଦ୍ଧି ପାଇବାକୁ ଲାଗିଛି। ସହରକୁ ଆବର୍ଜନା ଜନିତ ପ୍ରଦୂଷଣରୁ ମୁକ୍ତ କରିବା ପାଇଁ ଆର୍‌ଏମ୍‌ସି ତରଫରୁ ବାର୍ଷିକ ୧୧ କୋଟି ୧୧ ଲକ୍ଷ ୨୦ ହଜାର ୧୨ଟଙ୍କା ବ୍ୟୟବରାଦ ହେଉଛି। ଏଥିସହିତ ୮ଟି ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ର ରହିଛି। ଏହା ସତ୍ତ୍ୱେ ବି ସ୍ମାର୍ଟସିଟି ସମ୍ପୂର୍ଣ୍ଣ ଭାବେ ପରିମଳ ନଗରୀରେ ରୂପାନ୍ତରିତ ହୋଇପାରୁନାହିଁ। ୨୦୦୧ ମସିହାରେ ସହରରେ ୩୨ଟି ଓ୍ବାର୍ଡ ଥିଲା। ଜନସଂଖ୍ୟା ୨ ଲକ୍ଷ ୩୦ ହଜାର ଥିଲା। ସାନିଟାଇଜ ବିଭାଗରେ ୯୮୫ ଜଣ କର୍ମଚାରୀ ଥିଲେ। ଅପଶିଷ୍ଟ ଅଳିଆ ମୁଣ୍ଡପିଛା ୦.୫ କେଜି ରହିଥିଲା। ସହରରେ ସମୁଦାୟ ଅଳିଆକୁଣ୍ଡ ବା ଗାର୍ବେଜ ୧୧୫ଟି ଥିଲା। ଦୈନିକ ୭୦ଟି ଗାର୍ବେଜରୁ ଅଳିଆ ଉଠୁଥିଲା। ବାଲୁଘାଟରେ ୧୦ଏକର ବିଶିଷ୍ଟ ଆବର୍ଜନା ବିଶୋଧନ ହୋଇ କମ୍ପୋଷ୍ଟ ଖତ ତିଆରି ହେଉଥିଲା। ଏଥିସହ ଛେଣ୍ଡ ଅଞ୍ଚଳରେ ୬୦ଏକର ଜମିରେ ସାନିଟାଇଜ ଲାଣ୍ଡଫିଲ କରାଯାଇ ସହରକୁ ଆବର୍ଜନା ଜନିତ ପ୍ରଦୂଷଣରୁ ମୁକ୍ତ କରିବା ପ୍ରୟାସ ହେଉଥିଲା। ମାତ୍ର ୨୦୧୧ ମସିହାରେ ଜନସଂଖ୍ୟା ୪ ଲକ୍ଷକୁ ବୃଦ୍ଧି ପାଇବା ସହିତ ଦୈନିକ ୧୫୦ଏମଟି ଆବର୍ଜନା ସଲିଡ ଓ୍ବଷ୍ଟ ପୁନଃଚକ୍ରଣ ଓ ବିଶୋଧନ ହେବା ଆରମ୍ଭ ହେଲା।  ମାତ୍ର ପରିତାପର ବିଷୟ ବର୍ତ୍ତମାନ ସହରର ଜନସଂଖ୍ୟା ପାଖାପାଖି ୭ ଲକ୍ଷ ଛୁଇଁଲାଣି। ଏଥିସହିତ ସହରରେ ୮ଟି ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ରରେ କଠିନ ବର୍ଜ୍ୟବସ୍ତୁ (ସଲିଡ ଓ୍ବଷ୍ଟ) ପୁନଃଚକ୍ରଣ ହେଉଛି। ତଥାପି ଆବର୍ଜନା ଜନିତ ପ୍ରଦୂଷଣରୁ ସହର ସମ୍ପୂର୍ଣ୍ଣ ଭାବରେ ମୁକ୍ତ ହୋଇପାରୁନାହିଁ। ମୁଖ୍ୟରାସ୍ତା ବ୍ୟତୀତ ସହରର ସବୁ ସ୍ଥାନରେ ଅଳିଆ ଗଛିତ ରହୁଛି। ସହରରେ ଗାର୍ବେଜ ବ୍ୟବସ୍ଥା ବା ଅଳିଆକୁଣ୍ଡ ବ୍ୟବସ୍ଥା ବନ୍ଦ ହୋଇଯାଇଛି। ସିଧାସଳଖ ଅଳିଆ ଉଠା ବାହାନରେ ଦୈନିକ ସହରର ୪୧ଟି ଓ୍ବାର୍ଡରୁ ଅଳିଆ ଉଠା ଯାଉଥିଲେ ସୁଦ୍ଧା ବିଶ୍ରା ଛକସ୍ଥିତ ବସଷ୍ଟାଣ୍ଡ, ତରକେରା, ପାନପୋଷ ବସ୍ତି ଅଞ୍ଚଳର ଶବ ବ୍ୟବଚ୍ଛେଦ ପରିସର, ଛେଣ୍ଡର ବିଭିନ୍ନ ବସ୍ତି ଏମିତିକି ବାଲୁଘାଟ ଏବଂ ବାସନ୍ତୀ ନଗର ଅଞ୍ଚଳ ଏବଂ ଶ୍ରମବିଭାଗ ପଛପଟରେ ଗଛିତ ଥିବା ଅଳିଆ ଆବର୍ଜନା ଦେଖିଲେ ସହରରେ ଚାଲିଥିବା ସ୍ବଚ୍ଛତା ଅଭିଯାନ କଥା ଠିକ୍‌ ଜଣାପଡେ। ସହରାଞ୍ଚଳ ସାନିଟାଇଜ ପାଇଁ ଏନ୍‌ଭିକେର ନାମକ ଏକ ସଂସ୍ଥା ଓ ଦିଲ୍ଲୀପ କୁମାର ସ୍ବାଇଁ ନାମକ ବ୍ୟକ୍ତି ମିଳିତ ଭାବରେ ୨୩୦ ସଫେଇ କର୍ମଚାରୀ ଓ ରାଉରକେଲା ସାନିଟାଇଜ ବିଭାଗ ଅନ୍ତର୍ଭୁକ୍ତ ୭୪୫ ଜଣ ସଫେଇ କର୍ମଚାରୀଙ୍କ ଜରିଆରେ ସହରରେ ପରିମଳ କାମ ପରିଚାଳିତ ହେଉଛି। ୪ ଜଣ ସାନିଟାଇଜ ଏକ୍ସପର୍ଟ, ୨୦ଜଣ ସାନିଟାଇଜ ସୁପର-ଭାଇଜର ଓ ୭ ଜଣ ସାନିଟାଇଜ ଇନ୍ସପେକ୍ଟରଙ୍କ ଦ୍ୱାରା ସହର ସାରା ସଫେଇ ଅଭିଯାନ ଚାଲିଛି। ମୁଖ୍ୟତଃ ସହରର ପ୍ରତ୍ୟେକ ବସ୍ତି, ରାସ୍ତା, ଡ୍ରେନରୁ କମ୍ପୋଷ୍ଟ ଜନିତ ଆବର୍ଜନା ଚିହ୍ନଟିକରଣ କରିବା ସହିତ ପ୍ଲାଷ୍ଟିକ, କାଗଜ, ଧାତବ ପଦାର୍ଥ, କାଚ ବ୍ୟତିରେକ ବିଭିନ୍ନ ଫିଙ୍ଗାଫୋପଡା ଖାଦ୍ୟ, ବସ୍ତ୍ର, ରାସାୟନିକ ସାମଗ୍ରୀ ଆଦି ପୁନଃଚକ୍ରଣ ପାଇଁ ଅନ୍ୟତ୍ର କରାଯିବାର ନିର୍ଦ୍ଧାରିତ ରହିଛି। ଉପରୋକ୍ତ ଆବର୍ଜନାରୁ ସଂଗୃହୀତ ପ୍ଲାଷ୍ଟିକ ସିମେଣ୍ଟ ଫେକ୍ଟ୍ରିକୁ ପଠାଯାଇଥାଏ।  ଏନେଇ ଆର୍‌ଏମ୍‌ସି ସାନିଟାଇଜ ନିର୍ବାହୀ ସହଯୋଗୀ ରୋହିତ ଗିଧିଙ୍କୁ ପଚାରିବାରୁ ସେ କହିଥିଲେ, ସହରକୁ ସମ୍ପୂର୍ଣ୍ଣ ସ୍ବଚ୍ଛ ପରିମଳ ରଖିବା ନିମନ୍ତେ ଆପ୍ରାଣ ଉଦ୍ୟମ ଚାଲିଛି। ସହରର ସଲିଡ ଓ୍ବଷ୍ଟକୁ ଉଠାଯାଇ ପୁନଃଚକ୍ରଣ ମାଧ୍ୟମରେ ବିଶୋଧନ ହେଉଛି। ଆଗକୁ ସହରାଞ୍ଚଳ ଯେଭଳି ସମ୍ପୂର୍ଣ୍ଣ ପରିମଳ ରହିବ ସେ ଉପରେ ଯୋଜନା ପ୍ରସ୍ତୁତ ଚାଲିଛି। ଏନେଇ ରାଉରକେଲା ପ୍ରଦୂଷଣ ବିଭାଗ ଆଞ୍ଚଳିକ ଅଧିକାରୀ ଅନୁପ କୁମାର ମଲିକ କୁହନ୍ତି, ଆର୍‌ଏମ୍‌ସିର ୮ଟି ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ର ରହିଛି। ମାଇକ୍ରୋ କମ୍ପୋଷ୍ଟ ସେଣ୍ଟରରେ ସେଡ୍ରିଗେଟ ହେଉଛି। ରାଜ୍ୟରେ ରାଉରକେଲା ଏମିତି ଏକ ସହର ଯେଉଁଠାରେ କି ଆଡଭାନ୍ସ ପ୍ରୋସେସରେ କମ୍ପୋଷ୍ଟ ହେଉଛି। ଏହିଭଳି ଅନୁଗୋଳ ଓ ବ୍ରହ୍ମପୁରରେ ହୋଇଛି। ସହରର ପ୍ଲାଷ୍ଟିକ ଆବର୍ଜନା ରାଜଗାଙ୍ଗପୁର ସିମେଣ୍ଟ କାରଖାନାକୁ ଯାଉଛି। ପୂର୍ଣ୍ଣମାତ୍ରରେ ଅଳିଆ ଆବର୍ଜନା ମୁକ୍ତ ହୋଇପାରୁନି। ମୁଖ୍ୟ ଶକ୍ତି ଅଭାବ ଓ ଆଧୁନିକ ଟେକ୍ନୋଲୋଜୀ ବିନା ସମ୍ପୂର୍ଣ୍ଣ ଆବର୍ଜନାମୁକ୍ତ ସମ୍ଭବ ନୁହେଁ। ଚେଷ୍ଟା ଚାଲିଛି ରାଉରକେଲା ସମ୍ପୂର୍ଣ୍ଣ ସ୍ବଚ୍ଛ ପରିମଳ ନଗରୀ ହେବ।