ପ୍ରବାଦପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ତଳେ ଅଳିଆଗଦା

ଭୋଗରାଇ,୧୧ା୫(ଡି.ଏନ. ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱର ବଜାରରେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ତଳେ ମଦ ବୋତଲ ଓ ପ୍ଲାଷ୍ଟିକ ଜରି ଗଦା ହୋଇରହିଛି। ଏହା ଓଡ଼ିଆ ଜାତି ପ୍ରତି ଅସମ୍ମାନ ଓ କୁଠାରଘାତ ସଦୃଶ ବୋଲି ବୁଦ୍ଧିଜୀବୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ଜଳେଶ୍ୱର-ଚନ୍ଦନେଶ୍ୱର ଏବଂ ବର୍ଡ଼ର ଚନ୍ଦନେଶ୍ୱର ରାସ୍ତାକୁ ସଂଯୋଗ କରୁଥିବା ମଧ୍ୟସ୍ଥଳୀରେ ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇ ବିଧାୟକଙ୍କ ପ୍ରଚେଷ୍ଟାରେ ଚନ୍ଦନେଶ୍ୱରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସହ ଓଡିଶା ପଶ୍ଚିମବଙ୍ଗ ସୀମାନ୍ତ ସହାବାଜିପୁରରେ ଉତ୍କଳଗୌରବ ମଧୁସୂଦନ ଦାସ, ଭୋଗରାଇର କେନ୍ଦ୍ରସ୍ଥଳୀ ଥାନାଛକଠାରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ପ୍ରତିମୂର୍ତ୍ତି ସହ ଭୋଗରାଇର ସ୍ବାଧୀନତା ସଂଗ୍ରାମୀମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ ହୋଇଥିବାରୁ ଓଡ଼ିଆ ଜାତି ପ୍ରତି ସ୍ବାଭିମାନ ଓ ଗୌରବ ବହନ କରୁଛି। ଏସବୁ ଦୃଶ୍ୟ ପ୍ରଶାସନ କିମ୍ବା ଜନ ପ୍ରତିନିଧିଙ୍କ ଦୃଷ୍ଟିଗୋଚର ହୋଇଥିଲେ ମଧ୍ୟ ପ୍ରବାଦ ପୁରୁଷଙ୍କଠାରେ ଅଳିଆ ଆବର୍ଜନା ସଫା ନ ହେବା  ଦେଖି କି ନୀରବ ରହିବା କିମ୍ବା ଟ୍ରଷ୍ଟବୋର୍ଡ଼ର ଅବହେଳାର କାରଣ ହୋଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମହାଦେବଙ୍କ ପାଖକୁ ଦୈନିକ ପଶ୍ଚିମବଙ୍ଗ ଓ ଝାଡଖଣ୍ଡରୁ ହଜାର ହଜାର ଶ୍ରଦ୍ଧାଳୁ ଜୀଉଙ୍କ ଦର୍ଶନ ଓ ଆରାଧନା ନିମନ୍ତେ ଆଗମନ ହେଉଥିବାରୁ ମହାପୁରୁଷ ପ୍ରତିମୂର୍ତ୍ତି ତଳେ ଏଭଳି ଦୃଶ୍ୟ ଦେଖି ବିସ୍ମୟ ପ୍ରକାଶ କରୁଛନ୍ତି।
Share