Categories: ରାଜ୍ୟ

ଆଜିଠାରୁ ୨୦ ଓ୍ବାର୍ଡରୁ ଉଠିବନି ଅଳିଆ

ଭୁବନେଶ୍ୱର,୧୯।୧୨(ବନ୍ଦନା ସେଠୀ): ସଫେଇ ସଂସ୍ଥା ଆଓ୍ବାରଲ୍ୟାଣ୍ଡର ମନମୁଖି କାର୍ଯ୍ୟକଳାପକୁ ବିରୋଧ କରି ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସଫେଇ କର୍ମଚାରୀ। ଫଳରେ ସହରର ୨୦ଟି ଓ୍ବାର୍ଡରୁ ଅଳିଆ ଉଠା ହୋଇପାରିନାହିଁ। ସମ୍ପୃକ୍ତ ସଂସ୍ଥା ଅଧୀନରେ ଓ୍ବାର୍ଡ ନଂ. ୨୭, ୨୮, ୨୯, ୩୦, ୩୪, ୩୫, ୩୬, ୪୧, ୪୬, ୫୨, ୫୩ ଭଳି ମୋଟ୍‌ ୨୦ଟି ଓ୍ବାର୍ଡ ରହିଥିବାବେଳେ ପ୍ରାୟ ୫ଶହରୁ ଊର୍ଦ୍ଧ୍ୱ କର୍ମଚାରୀ ନିୟୋଜିତ ଅଛନ୍ତି। ତେବେ ଅନ୍ୟ ସଫେଇ ସଂସ୍ଥାଗୁଡ଼ିକ ସେମାନଙ୍କ କର୍ମଚାରୀଙ୍କୁ ବିଭିନ୍ନ ସୁବିଧା ଯଥା ପିପିଇ କିଟ୍‌, ଡ୍ରେସ୍‌, ଇପିଏଫ୍‌, ଇଏସ୍‌ଆଇ ଦେଉଛନ୍ତି ମାତ୍ର ଆଓ୍ବାରଲ୍ୟାଣ୍ଡ ତାହା ପ୍ରଦାନ କରୁନାହିଁ। ଏପରିକି ଗତ ଅଗଷ୍ଟ ମାସରୁ ଇପିଏଫ୍‌ କଟୁନାହିଁ କି ଅପ୍‌ଡେଟ୍‌ ହେଉନାହିଁ। ଏନେଇ ବାରମ୍ବାର ସଂସ୍ଥାର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ବି କିଛି ଫଳ ହେଉନାହିଁ। ତେଣୁ ବାଧ୍ୟହୋଇ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ରହିବ ବୋଲି ଭୁବନେଶ୍ୱର ମ୍ୟୁନିସିପାଲିଟି ସଫେଇ କର୍ମଚାରୀ ମଜଦୁର ସଂଘ ଉପସଭାପତି ସୁଶାନ୍ତ ଦଳେଇ ସୂଚନା ଦେଇଛନ୍ତି। ସେହିପରି ସମ୍ପୃକ୍ତ ସଂସ୍ଥା ୫୦ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଚାକିରୀରୁ ବାହାର କରିଦେଉଥିବା ମଧ୍ୟ ଅଭିଯୋଗ ହୋଇଛି। ଅପରପକ୍ଷେ ମହିଳା ସଫେଇ କର୍ମୀମାନେ ସାଙ୍ଗରେ ବ୍ୟାଗ୍‌ ନେବେ। ସଫେଇ କରି ତୁରନ୍ତ ଆବର୍ଜନାକୁ ସେହି ବ୍ୟାଗ୍‌ରେ ରଖିବାକୁ ବାଧ୍ୟ କରାଯାଉଛି। ଯାହାକି କର୍ମଚାରୀଙ୍କ ପାଇଁ ସମ୍ଭବ ହେଉନାହିଁ। ଅନ୍ୟ ସଂସ୍ଥାମାନେ ସେଭଳି କିଛି କରୁ ନ ଥିବାବେଳେ ଆଓ୍ବାରଲ୍ୟାଣ୍ଡ କାହିଁକି କର୍ମଚାରୀଙ୍କୁ ହଇରାଣ କରୁଛି ବୋଲି ସଂଘର ସଭାପତି ସହଦେବ ନାୟକ ପ୍ରଶ୍ନ କରିଛନ୍ତି। ତେବେ ସଫେଇ ସଂସ୍ଥା, କର୍ମଚାରୀ ଏବଂ ବିଏମ୍‌ସି ମଧ୍ୟରେ ସମନ୍ବୟ ରହୁ ନ ଥିବାରୁ ବାରମ୍ବାର ଏଭଳି ଆନ୍ଦୋଳନ, ବିରୋଧ ହେଉଥିବା ମତ ପ୍ରକାଶ ପାଇଛି।

Share