Categories: ଖେଳ

ଫୁଟ୍‌ବଲରୁ ଗାରେଥ୍‌ ବାଲେଙ୍କ ଅବସର

ଲସ୍‌ଆଞ୍ଜେଲ୍ସ, ୧୦ା୧(ଏପି): ଓ୍ବେଲ୍ସ ତରଫରୁ ରେକର୍ଡ ୪୧ ଅନ୍ତର୍ଜାତୀୟ ଗୋଲ୍‌ ସ୍କୋର କରିଥିବା ଗାରେଥ୍‌ ବାଲେ ସୋମବାର ଫୁଟ୍‌ବଲରୁ ଅବସର ନେଇଛନ୍ତି। ୩୩ ବର୍ଷୀୟ ବାଲେ ନଭେମ୍ବର ୨୯ରେ ତାଙ୍କ ଶେଷ ମ୍ୟାଚ୍‌ ବିଶ୍ୱକପ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। ଏହା ଥିଲା ତାଙ୍କର ୧୧୧ତମ ଅନ୍ତର୍ଜାତୀୟ ମ୍ୟାଚ୍‌। ସେ କହିଛନ୍ତି, ଫୁଟ୍‌ବଲରୁ ଅବସର ତାଙ୍କ କ୍ୟାରିୟରର ସବୁଠାରୁ କଠିନ ନିଷ୍ପତ୍ତି ଥିଲା। ବାଲେ ଆହୁରି ମଧ୍ୟ କ୍ଲବ ଫୁଟ୍‌ବଲରୁ ଅବସର ନେଇଛନ୍ତି। ସେ ପ୍ରିମିୟର ଲିଗ୍‌ରେ ୫୩ ଏବଂ ଲା’ ଲିଗାରେ ୮୧ ଗୋଲ୍‌ ସ୍କୋର କରିଛନ୍ତି। ସେ ତାଙ୍କ କ୍ୟାରିୟରରେ ୫ ଚାମ୍ପିୟନଶିପ୍‌ ଟାଇଟଲ, ୩ ସ୍ପାନିଶ୍‌ ଲିଗ୍‌ ଟାଇଟଲ, ଥରେ କୋପା ଡେଲ୍‌ ରେ’ ଏବଂ ଥରେ ଲିଗ୍‌ କପ୍‌ ଜିତିଛନ୍ତି। ବାଲେ ୨୦୦୬ ମେ’ ୨୭ରେ ଓ୍ବେଲ୍ସ ତରଫରୁ ତାଙ୍କ ପଦାର୍ପଣ ମ୍ୟାଚ୍‌ ତ୍ରିନିଦାଦ୍‌ ଟବାଗୋ ବିପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିଥିଲେ। ଏହି ଦ୍ରୁତଗାମୀ ଓ୍ବିଙ୍ଗରଙ୍କ ପ୍ରଭାବୀ ପ୍ରଦର୍ଶନ ସହାୟତାରେ ଓ୍ବେଲ୍ସ ୨୦୧୬ ୟୁରୋପିଆନ୍‌ ଚାମ୍ପିୟନଶିପ୍‌ ସେମିଫାଇନାଲରେ ପ୍ରବେଶ କରିଥିଲା। ଏହି ପର୍ଯ୍ୟାୟରେ ଦଳ ପର୍ତ୍ତୁଗାଲ ନିକଟରୁ ୨-୦ ଗୋଲ୍‌ରେ ହାରିଯାଇଥିଲା। ଓ୍ବେଲ୍ସ ୨୦୨୦ ୟୁରୋ ପାଇଁ ଯୋଗ୍ୟତା ଅର୍ଜନ କରି ରାଉଣ୍ଡ ଅଫ୍‌-୧୬ରେ ଡେନ୍‌ମାର୍କଠାରୁ ହାରିଯାଇଥିଲା। ପୁଣି ଏହି ଦେଶ ୧୯୫୮ ପରେ ଦ୍ୱିତୀୟଥର ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ଦଳ ଗ୍ରୁପ୍‌ ପର୍ଯ୍ୟାୟରେ ଯୁକ୍ତରାଷ୍ଟ୍ର ଆମେରିକା ବିପକ୍ଷ ମ୍ୟାଚ୍‌ ୧-୧ରେ ଡ୍ର ରଖିଥିଲା ଏବଂ ପରେ ଦ୍ୱିତୀୟାର୍ଦ୍ଧ ଖେଳ ଷ୍ଟପେଜ୍‌ ସମୟରେ ୨-୦ ଗୋଲରେ ଇରାନ ନିକଟରୁ ହାରିଯାଇଥିଲା। ଓ୍ବେଲ୍ସ ତରଫରୁ ସର୍ବାଧିକ ଗୋଲ୍‌ ସ୍କୋର କରିବାରେ ଇଆନ ରସ୍‌ (୨୮ଗୋଲ୍‌)ଙ୍କ ରେକର୍ଡକୁ ଭାଙ୍ଗି ଦେଇଥିଲେ। କେବଳ ସେତିକି ନୁହେଁ, ବାଲେ ଓ୍ବେଲ୍ସ ତରଫରୁ ସବୁଠାରୁ ଅଧିକ ମ୍ୟାଚ୍‌ ଖେଳି ରେକର୍ଡ କରିଛନ୍ତି। ସେ ୬ଥର ଓ୍ବେଲ୍ସ ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ଜିତିଛନ୍ତି।

Share