ତ୍ୱଚା ପାଇଁ ବରଦାନ ରସୁଣ

ରସୁଣ କେବଳ ଖାଦ୍ୟର ସ୍ବାଦ ବଢ଼ାଇ ନ ଥାଏ ବରଂ ଏଥିରେ ଭରି ରହିଛି ଅନେକ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଉପଦାନ। ଜାଣନ୍ତୁ ଏହାକୁ ବ୍ୟବହାର କରିବାର ଉପାୟ…

ଦୁଇ କୋଲା ରସୁଣକୁ ଛେଚି ରସ ବାହାର କରି ସମ ପରିମାଣରେ ହ୍ବାଇଟ୍‌ ଭିନେଗାର ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ। ତୁଳା ସାହାଯ୍ୟରେ ଉକ୍ତ ମିଶ୍ରଣକୁ ବାରମ୍ବାର ନେଇ ବ୍ରଣ ହୋଇଥିବା ସ୍ଥାନରେ ଲଗାନ୍ତୁ। ଏଥିରେ ଭରି ରହିଥିବା ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିଫଙ୍ଗାଲ, ଆଣ୍ଟିବାୟୋଟିକ୍‌, ଆଣ୍ଟିସେପ୍ଟିକ୍‌ ଏବଂ ଜର୍ମିସାଇଡ୍‌ ତତ୍ତ୍ୱ ଖୁବ୍‌ଶୀଘ୍ର ବ୍ରଣ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ।
ଦାଗ ଥିଲେ ମୁହଁର ସୌନ୍ଦର୍ଯ୍ୟ ଏବଂ ଆକର୍ଷଣ କମିଯାଏ। ତେଣୁ ଏହି ସମସ୍ୟା ଘରୋଇ ଉପାୟରେ ଦୂରକରିବା ଲାଗି ଅଳ୍ପ ପାଣିରେ ୩-୪ଟି ରସୁଣ କୋଲା ଛେଚି ପକାନ୍ତୁ ଏବଂ ଭଲ ଭାବେ ଫୁଟାଇ ଦିଅନ୍ତୁ। ଏହାକୁ କାଢି ପେଷ୍ଟ ପ୍ରସ୍ତୁତ କରି ଦାଗ ଥିବା ସ୍ଥାନରେ ଲଗାଇ କିଛି ସମୟ ରଖିବା ପରେ ଧୋଇ ଦିଅନ୍ତୁ। କିଛିଦିନ ଏପରି କଲେ ଦାଗ ଧୀରେ ଧୀରେ ଲିଭିଯିବ।
କେଶ ଝଡ଼ିବା ବର୍ତ୍ତମାନ ଅନେକଙ୍କ ଲାଗି ଏକ ପ୍ରମୁଖ ସମସ୍ୟା। ଯଦି ଆପଣ ବି ଏହି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ପ୍ରତିଦିନ କେଶରେ ରସୁଣ ତେଲ ମସାଜ କରି କିଛି ସମୟ କେଶକୁ ଘୋଡ଼ାଇ ରଖନ୍ତୁ। ଭଲ ଭାବେ ତେଲ ଭେଦିଯିବା ପରେ ଧୋଇ ଦିଅନ୍ତୁ। ପ୍ରତିଦିନ ଏପରି କଲେ ଖୁବ୍‌ କମ୍‌ ଦିନ ଭିତରେ ଆପଣ ଫରକ ଜାଣିପାରିବେ।