ଗ୍ୟାସ୍‌ ସିଲିଣ୍ଡର ଫାଟି ଜଳିଗଲା ୧୦ ବଖରା, ସବୁ ଜଳିପୋଡ଼ି ଛାରଖାର

ଖଲ୍ଲିକୋଟ,୨୮ା୧୦(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ତୁଳସୀପୁର ପଞ୍ଚାୟତର କମଳାପଦର ଗ୍ରାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୩ ପରିବାରର ୧୦ ବଖରାରୁ ଅଧିକ ଘର ଜଳିପୋଡ଼ି ଛାରଖାର ହୋଇଯାଇଛି। ଗ୍ରାମର ଭୁବନୀ ପାହାନ, ଅର୍ଜୁନ ପାହାନ ଓ କାମ୍ପ ଜେନାଙ୍କ ଘରେ ସୋମବାର ଭୋର୍‌ ସମୟରେ ନିଆଁ ଲାଗି ଯାଇଥିଲା। ୩ ପରିବାରର ୧୦ ବଖରା ଘର ସହିତ ସମସ୍ତ ଆସବାବପତ୍ର ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି।

ଘରେ ଥିବା ଏକ ଗ୍ୟାସ୍‌ ସିଲିଣ୍ଡର ବିସ୍ପୋରଣ ଘଟିଥିବା ବେଳେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ସେପଟେ ବିଦ୍ୟୁତ୍‌ ଶଟ୍‌ସର୍କିଟ୍‌ରୁ ନିଆଁ ଲାଗି ଯାଇଥିବା ସନ୍ଦେହ କରାଯାଉ ଥିବା ବେଳେ ଖବର ପାଇ ଖଲ୍ଲିକୋଟ ଅଗ୍ନିଶମ ବାହିନୀ ଗ୍ରାମରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି।

Share