Categories: ଜାତୀୟ

୪୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର…

ଜୟପୁର,୨୩।୧୨ : ରାଜସ୍ଥାନର ଉଜ୍ୱଳା ଯୋଜନାର ହିତାଧିକାରୀମାନେ ଖୁବ ଶୀଘ୍ର ଘରୋଇ ଗ୍ୟାସ ସିଲିଣ୍ଡର ୪୫୦ ଟଙ୍କା ପାଇବେ। ନିକଟରେ ରାଜ୍ୟସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ବିଭାଗର ରାଷ୍ଟ୍ର ମନ୍ତ୍ରୀ ରାମେଶ୍ୱର ତେଲି କହିଛନ୍ତି ୪୫୦ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇବା ପାଇଁ କେନ୍ଦ୍ର ସରକାରଙ୍କର କୌଣସି ଯୋଜନା ରହିଛି କି ବୋଲି ପ୍ରଶ୍ନ କରିଛନ୍ତି। ଏଭଳି ଉତ୍ତର ପରେ ଭାଜପା ନିଜର ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବ କି ନାହିଁ ସେନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ରାଜ୍ୟ ସରକାର ଏହି ସନ୍ଦେହ ଦୂର କରି କହିଛନ୍ତି ଭାଜପା ସରକାର ନିର୍ବାଚନୀ ଇସ୍ତାହାରର ପ୍ରତ୍ୟେକ ପ୍ରତିଶ୍ରୁତି ପୂରଣ କରିବେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଯୋଜନା ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଉଜ୍ୱଳା ଯୋଜନାର ହିତାଧିକାରୀଙ୍କୁ କେନ୍ଦ୍ର ସରକାର ଘରୋଇ ଗ୍ୟାସ ସିଲିଣ୍ଡର ୬୦୦ଟଙ୍କାରେ ଦେଉଛନ୍ତି। ଏହି ଯୋଜନାର ହିତାଧିକାରୀଙ୍କୁ କେନ୍ଦ୍ର ସରକାର ଏହାଠାରୁ ଅଧିକ ରିହାତି ଦେବେ ନାହିଁ। ରାଜସ୍ଥାନରେ ଭାଜପା ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ଭଜନ ଲାଲ ସରକାରଙ୍କୁ  ନିଜ ପକେଟରୁ ଗ୍ୟାସ ସିଲିଣ୍ଡର ପିଛା  ୧୫୦ ଟଙ୍କା ଦେବାକୁ ପଡିବ। ରାଜ୍ୟର ପ୍ରାୟ ୭୦ ଲକ୍ଷ ପରିବାର ଉଜ୍ୱଳା ଯୋଜନା ସହିତ ସଂଯୁକ୍ତ। ରାଜ୍ୟ ସରକାର ନିଜର ଆକାଉଣ୍ଟରୁ ଏସବୁ ହିତାଧିକାରୀଙ୍କୁ ଗ୍ୟାସ ସିଲିଣ୍ଡର ପିଛା ୧୫୦ଟଙ୍କା ଅଧିକ ସବସିଡ ଦେବେ। ଏହା ଦ୍ୱାରା ରାଜ୍ୟ ସରକାରଙ୍କ ଉପରେ ୧୦୫ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ର ବୋଝ ପଡିବ।

ଏହି ପ୍ରତିଶ୍ରୁତି ପୂରଣ କରିବା ପାଇଁ ସବସିଡି ରାଶି ଭଜନଲାଲ ସରକାରଙ୍କ ଦ୍ୱାରା ଡିବିଟି(ଡାଇରେକ୍ଟ ବେନିଫିଟି ଟ୍ରାନ୍ସଫର) ମାଧ୍ୟମରେ ହିତାଧିକାରୀଙ୍କୁ ହସ୍ତାନ୍ତର କରାଯିବ। ଗ୍ୟାସ ସିଲିଣ୍ଡର ନେବାବେଳେ ହିତାଧିକାରୀଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଦେବାକୁ ପଡିବ। ସବସିଡି ଟଙ୍କା ପରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ହସ୍ତାନ୍ତର କରାଯିବ। କେନ୍ଦ୍ର ସରକାର ଯେପରି କିଷାନ ସମ୍ମାନ ନିଧି ରାଶିକୁ ସିଧାସଳଖ କୃଷକଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରୁଛନ୍ତି ସେହିଭଳି ଭଜନ ଲାଲ ସରକାର ମଧ୍ୟ ସବସିଡି ରାଶି ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବେ। ତେବେ, ୪୫୦ ଟଙ୍କା ପାଇଁ କେବେ ଗ୍ୟାସ ସିଲିଣ୍ଡର ଉପଲବ୍ଧ ହେବ? ଏହା ସ୍ଥିର ହୋଇନାହିଁ ।

Share