ରେଷ୍ଟୁରାଣ୍ଟରେ ଗ୍ୟାସ ବିସ୍ଫୋରଣ: ୩୧ ମୃତ, ୭ ଆହତ…

ବେଜିଂ,୨୨।୬ : ଚାଇନାର ଉତ୍ତର-ପଶ୍ଚିମ ନିଙ୍ଗକ୍ସିଆ ଅଞ୍ଚଳର ବାରବେକ୍ୟୁ ରେଷ୍ଟୁରାଣ୍ଟରେ ବୁଧବାର ରାତିରେ ଗ୍ୟାସ ବିସ୍ଫୋରଣରେ ୩୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଏହି ଘଟଣା ପରେ ରାଷ୍ଟ୍ରପତି ଶି ଜିନପିଙ୍ଗ କଡା ସୁରକ୍ଷା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ନ୍ୟୁଜ ଏଜେନ୍ସି ଶିହ୍ନୁଆ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛି।

ନିଙ୍ଗକ୍ସିଆ ଅଞ୍ଚଳର ରାଜଧାନୀ ୟିନଚୁଆନରେ ଥିବା ରେଷ୍ଟୁରାଣ୍ଟରେ ତରଳ ପେଟ୍ରୋଲିୟମ ଗ୍ୟାସ ଟାଙ୍କି ଲିକ ହୋଇଥିବାରୁ ଘଟିଥିବା ଗୁରୁବାର ନ୍ୟୁଜ ଏଜେନ୍ସି ରିପୋର୍ଟ କରିଛି।

ରାତି ପ୍ରାୟ ୮ଟା ୪୦ ସମୟରେ ଘଟିଥିବା ଏହି ବିସ୍ଫୋରଣ ପରେ ଲୋକେ ଦୌଡ଼ାଦୌଡ଼ି ଆରମ୍ଭ କରିଥିଲେ। ବୁଧବାର ଦିନ ଡ୍ରାଗନ ବୋଟ ଫେଷ୍ଟିଭାଲ ଛୁଟିଦିନରେ ପାରମ୍ପାରିକ ମୁସଲିମ ନିଙ୍ଗକ୍ସିଆ ହୁଇ ସ୍ବୟଂଶାସିତ ଅଞ୍ଚଳର ସ୍‌ଲୋକମାନେ ଏକ ବ୍ୟସ୍ତବହୁଳ ରାସ୍ତାରେ ଏକାଠି ହୋଇଥିଲେ ବୋଲି ସରକାରୀ ନ୍ୟୁଜ ଏଜେନ୍ସି କହିଛି।

କେନ୍ଦ୍ର ସରକାରଙ୍କ ଜରୁରୀକାଳୀନ ପରିଚାଳନା ମନ୍ତ୍ରଣାଳୟ ଏହାର ସୋସିଆଲ ମିଡିଆ ଆକାଉଣ୍ଟରେ କହିଛି ରେଷ୍ଟୁରାଣ୍ଟରେ ଉଦ୍ଧାର କାର୍ଯ୍ୟ ଗୁରୁବାର ସକାଳେ ଶେଷ ହୋଇଛି ଏବଂ ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ଅନୁସନ୍ଧାନକାରୀଙ୍କୁ ପଠାଯାଇଛି।

 

Share