Advertisement

ରୋଷେଇବେଳେ ଗ୍ୟାସ୍‌ ଲିକ୍‌ ହୋଇ ଜଳିଗଲା ଘର: ମା-ବାପା-ପୁଅ ଗୁରୁତର

ଦିଗପହଣ୍ଡି,୧୬ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମରେ ଶନିବାର ସନ୍ଧ୍ୟାରେ ରୋଷେଇବେଳେ ଗ୍ୟାସ୍‌ ସିଲିଣ୍ଡର ଲିକ୍‌ ହୋଇ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଟିଏ ପରିବାରର ୩ ଜଣ ପୋଡ଼ି ଯାଇଛନ୍ତି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରମାନେ ହେଲେ ଜି. ବୁଡୁ, ତାଙ୍କ ସ୍ତ୍ରୀ ଜି. ବବି ଏବଂ ୮ମ ଶ୍ରେଣୀରେ ପଢୁଥିବା ତାଙ୍କ ପୁଅ କାହ୍ନା। ପଡ଼ୋଶୀମାନେ ସମସ୍ତଙ୍କୁ ଉଦ୍ଧାର କରି ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବୁଡୁଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।

ବୁଡୁଙ୍କ ଘରେ ତାଙ୍କ ସ୍ତ୍ରୀ ରୋଷେଇ କରୁଥିବା ବେଳେ ଗ୍ୟାସ୍‌ ସିଲିଣ୍ଡର ପାଇପ୍‌ରୁ ଗ୍ୟାସ୍‌ ଲିକ୍‌ ହେଉଥିଲା। ତାହା ଜାଣି ନ ପାରି ସେ ଲାଇଟର ଜଳାଇବା ମାତ୍ରେ ହଠାତ ପୂରା ଘରକୁ ନିଆଁ ବ୍ୟାପୀ ଯାଇଥିଲା। ବୁଡୁ ସେହି ନିଆଁରେ ପୋଡ଼ି ଯାଇଥିବା ବେଳେ ପାଖରେ ଥିବା ତାଙ୍କ ସ୍ତ୍ରୀ ମଧ୍ୟ ପୋଡ଼ି ହୋଇ ଚିତ୍କାର କରିଥିଲେ। ଚିତ୍କାର ଶୁଣି ସେମାନଙ୍କୁ ଉଦ୍ଧାର କରିବା ସମୟରେ ବୁଡୁଙ୍କ ପୁଅ କାହ୍ନା ମଧ୍ୟ ନିଆଁରେ ପୋଡ଼ି ଆହତ ହୋଇଥିଲେ। ନିଆଁରେ ପୋଡ଼ି ଗୁରୁତର ବୁଡୁଙ୍କ ପରିବାର ଗରିବ ଶ୍ରେଣୀର ଥିବାରୁ ସେମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ପ୍ରଶାସନ ବହନ କରିବାକୁ ସରପଞ୍ଚ ବି. ଲିଙ୍ଗରାଜ ଦୋରା ଅନୁରୋଧ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: Firegas leak