Categories: ଜାତୀୟ

୪ ମାସରେ ଗ୍ୟାସ୍‌ ଦାମ ୭ ଥର ବୃଦ୍ଧି: କାଠ ଜଳାଉଛନ୍ତି ଉଜ୍ଜ୍ୱଳା ଯୋଜନା ହିତାଧିକାରୀ

ନୂଆଦିଲ୍ଲୀ,୩।୩: ଦେଶରେ ଗତ ୪ମାସ ମଧ୍ୟରେ ଗ୍ୟାସ୍‌ ଦାମ ୭ ଥର ବୃଦ୍ଧି ପାଇଛି। ସିଲିଣ୍ଡର ଦାମ ବଢ଼ିବା ଯୋଗୁ ଉଜ୍ଜ୍ୱଳା ଯୋଜନା ହିତାଧିକାରୀ ଏବେ ଆଉ ଗ୍ୟାସ୍‌ ଜଳାଇବାକୁ ପସନ୍ଦ କରୁ ନାହାନ୍ତି। ଦେଶର ୮ କୋଟି ହିତାଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ସିଲିଣ୍ଡର ଭର୍ତ୍ତି କରିବା ଲାଗି ହିତାଧିକାରୀଙ୍କ ପାଖରେ ଟଙ୍କା ନାହିଁ। ଏହି ଯୋଜନାରେ ମହାରାଷ୍ଟ୍ରର ଆୟେଶା ଶେଖ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ସେପ୍ଟେମ୍ବର ୭ରେ ଉଜ୍ଜ୍ୱଳା ଯୋଜନା ହିତାଧିକାରୀ ଭାବେ ପ୍ରମାଣପତ୍ର ପ୍ରଦାନ କରିଥିଲେ। ତେବେ ଏବେ ଆୟେଶା ଆଉ ଗ୍ୟାସ୍‌ ଜଳାଇ ପାରୁ ନାହାନ୍ତି। ସେ ବାସ କରୁଥିବା ଘରର ଭଡ଼ା ମାସକୁ ୬୦୦ ଟଙ୍କା ଥିବାବେେଳେ ଗ୍ୟାସ୍‌ ସିଲିଣ୍ଡର ଦାମ ଏହାଠାରୁ ଅଧିକ ହୋଇ ଯାଉଛି। ସେହିପରି ଔରଙ୍ଗାବାଦ ଜିଲାର ଲୋହଗାଓ୍ବଁରେ ବାସ କରୁଥିବା ଉଜ୍ଜ୍ୱଳା ଯୋଜନା ହିତାଧିକାରୀ ମନ୍ଦାବାଈ ପାବ୍ଲେଙ୍କ ଅବସ୍ଥା ମଧ୍ୟ ସମାନ। ଏବେ ଉଜ୍ଜ୍ୱଳା ଯୋଜନା ହିତାଧିକାରୀ ଘରେ ରନ୍ଧାରନ୍ଧି ପାଇଁ କାଠଚୂଲୀ ବ୍ୟବହାର କରୁଛନ୍ତି।

Share