ଗ୍ୟାସ୍‌ ଦର ବୃଦ୍ଧି ହାଣ୍ଡିଶାଳକୁ ମହଙ୍ଗା ମାଡ଼: କଂଗ୍ରେସ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ରାଜ୍ୟରେ ବିଜେଡି ଏବଂ କେନ୍ଦ୍ରରେ ଭାଜପା ସରକାର ସାଧାରଣ ଜନତାଙ୍କୁ ମିଛ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଚାଲିଛନ୍ତି। ଗତ ୨ ବର୍ଷରେ କରୋନା ଯୋଗୁ ସାଧାରଣ ଜନତାଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡ଼ିଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ସେମାନଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ସଦୃଶ ହୋଇଛି। ୨୦୧୪ କଂଗ୍ରେସ ସରକାର ସମୟରେ ଘରୋଇ ସିଲିଣ୍ଡର ପିଛା ୪୧୪ ଟଙ୍କା ଥିବାବେଳେ ଗତ ୯ ବର୍ଷ ମଧ୍ୟରେ ବର୍ତ୍ତମାନ ଘରୋଇ ସିଲିଣ୍ଡର ୧୧ ଶହ ଟଙ୍କାରେ ପହଞ୍ଚିଲାଣି। କେନ୍ଦ୍ର ସରକାର ଗତ ଜୁଲାଇ ୬ରେ ଏଲ୍‌ପିଜି ଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରିଛନ୍ତି। ଗତ ଜୁଲାଇ ୨୦୨୧ ପରଠାରୁ ଏପର୍ଯ୍ୟନ୍ତ ବର୍ଷକ ମଧ୍ୟରେ କେନ୍ଦ୍ର ସରକାର ସିଲିଣ୍ଡର ପିଛା ୨୧୮ ଟଙ୍କା ବୃଦ୍ଧି କରିଛନ୍ତି। ଜୁଲାଇ ୨୦୨୧ରେ ୧୪.୨ କେଜି ସିଲିଣ୍ଡରକୁ ୮୩୫ ଟଙ୍କା ଥିବାବେଳେ ବର୍ତ୍ତମାନ ତାହା ୧୦୫୩ ଟଙ୍କାକୁ ବୃଦ୍ଧି ହୋଇଥିବା କହି କଂଗ୍ରେସ ଏହାକୁ ବିରୋଧ କରୁଛି। କେନ୍ଦ୍ରର ଏହି ନିଷ୍ପତ୍ତିକୁ ବିରୋଧ କରି ଭୁବନେଶ୍ୱର ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ଗୀତାଞ୍ଜଳି ମହାନ୍ତିଙ୍କ ନେତୃତ୍ୱରେ ମାଷ୍ଟରକ୍ୟାଣ୍ଟିନ ଛକଠାରେ ସୋମବାର ଏକ ବିକ୍ଷୋଭ ରାଲି କରାଯାଇଛି। ଉଭୟ ସରକାରଙ୍କୁ ସମାଲୋଚନା କରି ଗୀତାଞ୍ଜଳି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୱାର୍ଡ ମେମ୍ବରଠାରୁ ରାଷ୍ଟ୍ରପତି ନିର୍ବାଚନ ପର୍ଯ୍ୟନ୍ତ ମା’ ଓ ଭଉଣୀ କହି ମହିଳା କାର୍ଡ଼ ଖେଳି ନିର୍ବାଚନ ବୈତରଣୀ ପାର ହୁଅନ୍ତି। ପ୍ରଧାନମନ୍ତ୍ରୀ ମହିଳାମାନଙ୍କ ଆଖିରୁ ଲୁହ ପୋଛିବା ପାଇଁ ଉଜ୍ଜ୍ୱଳା ଯୋଜନା ଘୋଷଣା କରିଥିଲେ। କିନ୍ତୁ ଏବେ ୧୧୦୦ ଟଙ୍କାରେ ଗ୍ୟାସ ଦର ପହଞ୍ଚାଇ ଗୃହିଣୀଙ୍କ ପ୍ରତି ମୋଦି ସରକାର ବିଶ୍ୱାସଘାତ ଓ ପ୍ରତାରଣା କରିଛନ୍ତି। ମହିଳାମାନେ ଆଗାମୀ ଦିନରେ ନିର୍ବାଚନ ସମୟରେ ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ ଯୋଗଦେଇ କହିଛନ୍ତି, କେବଳ ଗ୍ୟାସ ନୁହଁ ପେଟ୍ରୋଲ, ଡିଜେଲ ଓ ଖାଦ୍ୟ ସାମଗ୍ରୀ ଅହେତୁକ ଦରଦାମ ବୃଦ୍ଧି ଯୋଗୁ ଜନସାଧାରଣ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏଣୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଜନବିରୋଧୀ ବୋଲି ବିଶ୍ୱଜିତ କହିଥିଲେ।

Share