Categories: ବାଣିଜ୍ୟ

କୋଇଲାରୁ ଉତ୍ପାଦନ ହେବ ଗ୍ୟାସ୍‌

ନୂଆଦିଲ୍ଲୀ,୧୯।୭: କୋଇଲାକୁ ଅଧିକରୁ ଅଧିକ ଗ୍ୟାସରେ ପରିଣତ କରିବାକୁ କେନ୍ଦ୍ର ସରକାର ଯେଉଁ ଗୁରୁତ୍ୱ ଦେଉଛନ୍ତି ତାହାକୁ ଚରିତାର୍ଥ କରିବାକୁ କୋଇଲା ମନ୍ତ୍ରଣାଳୟ ବିଭିନ୍ନ ପ୍ରୟାସ ଆରମ୍ଭ କରିଛି। ଏପରିକି ୨୦୩୦ ଆର୍ଥିକ ବର୍ଷ ସୁଦ୍ଧା ୧୦୦ ନିୟୁତ ଟନ୍‌ କୋଇଲାକୁ ଗ୍ୟାସରେ ପରିଣତ କରିବାକୁ ମନ୍ତ୍ରଣାଳୟ ଗୁରୁତ୍ୱ ଦେଇ କାମ ଆରମ୍ଭ କରିଛି, ତେବେ କୋଇଲାକୁ ଗ୍ୟାସରେ ପରିଣତ କରି ଅଧିକରୁ ଅଧିକ ସ୍ବଚ୍ଛ ଇନ୍ଧନ ଉତ୍ପାଦନ କରିବାକୁ ମନ୍ତ୍ରଣାଳୟ ଏକ ବୃହତ ପୂର୍ଣ୍ଣାଙ୍ଗ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ବିଚାର କରୁଛି। ଏଥିପାଇଁ ୬୦୦୦କୋଟି ଟଙ୍କା ବ୍ୟୟ ବରାଦ କରିବାକୁ ମଧ୍ୟ ଆପାତତଃ ସ୍ଥିର ହୋଇଛି, ତେବେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଏହାର ବୈଷୟିକ ଓ ଆର୍ଥିକ ଦିଗକୁ କୋଇଲା ମନ୍ତ୍ରଣାଳୟ ବିଚାର କରି ଦେଖୁଛି। କାରଣ ଭାରତରେ ପ୍ରଚୁର କୋଇଲା ରହିଛି,ତାହାକୁ ଗ୍ୟାସରେ ପରିଣତ କଲେ ଦେଶରେ ସ୍ବଚ୍ଛ ଇନ୍ଧନ ଆବଶ୍ୟକତା ଅନେକାଂଶରେ ପୂରଣ ହୋଇପାରିବ। ତେବେ ଏହି ଗ୍ୟାସିଫିକେସନ ପ୍ରକିୟା ଅତ୍ୟନ୍ତ ବ୍ୟୟବହୁଳ ଓ ଏହାର ଟେକ୍ନୋଲୋଜି ଯଥେଷ୍ଟ ଖର୍ଚ୍ଚ ସାପେକ୍ଷ, ସେ ଦୃଷ୍ଟିରୁ କୋଇଲାକୁ ଗ୍ୟାସରେ ପରିଣତ କରାଗଲେ କେତେ ଲାଭ ଓ କ୍ଷତି ହେବ ସେ ବିଷୟରେ ମଧ୍ୟ ମନ୍ତ୍ରଣାଳୟ ବିଚାର କରି ଦେଖୁଛି। ଏପରିକି ଭାରତରେ କୋଇଲା ଗ୍ୟାସିଫିକେଶନ ଟେକ୍ନୋଲୋଜିର ପ୍ରବର୍ତ୍ତନ ହେଲେ କୋଇଲା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବ। ଏହାଦ୍ୱାରା ଆମଦାନୀ ହେଉଥିବା ଗ୍ୟାସ ଉପରୁ ନିର୍ଭରଶୀଳତା କମିବ। ଅପରପକ୍ଷରେ ଦେଶର ମିଥାନଲ୍‌, ଆମୋନିଆ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଆମଦାନୀ ମଧ୍ୟ ହ୍ରାସ ପାଇବ। ବର୍ତ୍ତମାନ ଭାରତ ତା’ର ଆବଶ୍ୟକତାର ୫୦% ପ୍ରାକୃତିକ ଗ୍ୟାସ, ୯୦% ମିଥାନଲ ଓ ପ୍ରାୟ ୧୫% ୟୁରିଆ ବିଦେଶରୁ କିଣୁଛି, ତେଣୁ କୋଇଲା ଗ୍ୟାସ ଉତ୍ପାଦିତ ହେଲେ ଭାରତ ଏ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିବ। ଏହା ଦ୍ୱାରା ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ସ୍ବଚ୍ଛ ଇନ୍ଧନ ବ୍ୟବହାର ଫଳରେ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ। ଏହି ଯୋଜନାରେ ପ୍ରଥମେ ଲିଗ୍‌ନାଇଟ୍‌ କୋଇଲାକୁ ଗ୍ୟାସରେ ପରିଣତ କରିବାକୁ ବିଚାର କରାଯାଉଛି, ଲିଗ୍‌ନାଇଟ୍‌ କୋଇଲା ଦେଖିବାକୁ ଧୂସର, ନରମ ଏବଂ ଦହନଶୀଳ ହୋଇଥିବାରୁ ସରକାର ଏହି କାମକୁ ଉଭୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ବେସରକାରୀ ଶିଳ୍ପ ସଂସ୍ଥାକୁ ଦେବାକୁ ଚିନ୍ତା କରୁଛନ୍ତି। ଏଥିପାଇଁ ଟେଣ୍ଡର ମାଧ୍ୟମରେ ଶ୍ରେଷ୍ଠ ବିଡରଙ୍କୁ ବଛାଯିବ। ଏପରିକି ଆବଶ୍ୟକ ସ୍ଥଳେ ଟେଣ୍ଡର ପାଇଥିବା ଉଦ୍ୟୋଗ ବା ସଂସ୍ଥାଙ୍କୁ ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ।

Share