ଚାଲିଲାନି ଗ୍ୟାସ୍‌ଚୁଲା, ମଶାଣିରୁ ଫେରିଲା ମୃତଦେହ

ଭୁବନେଶ୍ୱର, ୭।୧୨ (ବନ୍ଦନା ସେଠୀ)ଚାଲିଲାନି ଗ୍ୟାସ୍‌ ଚୁଲା ମେଶିନ। ଫଳରେ ମଶାଣିରୁ ଫେରିଲା ମୃତଦେହ। ମଙ୍ଗଳବାର ବିଏମ୍‌ସି ଅଧୀନ ପଟିଆସ୍ଥିତ ଜଳିମୁଣ୍ଡା ସାହି ଶ୍ମଶାନରେ ଏଭଳି ଅବ୍ୟବସ୍ଥା ଦେଖାଯାଇଥିଲା। ଶେଷରେ ମୃତଦେହକୁ ସତ୍ୟନଗର ଶ୍ମଶାନକୁ ନିଆଯାଇ ସେଠାରେ ଦାହ କରାଯାଇଥିଲା। ଏହାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ନିନ୍ଦା କରାଯାଇଛି।
ଶୈଳଶ୍ରୀ ବିହାର ଅଞ୍ଚଳର ରାଧାଚରଣ ସାହୁ ନାମକ ଜନୈକ ବରିଷ୍ଠ ନାଗରିକଙ୍କର ମୃତ୍ୟୁ ହୋଇଥିଲା। ପରିବାର ଓ ଆମତ୍ୀୟସ୍ବଜନ ତାଙ୍କୁ ଘର ନିକଟସ୍ଥ ଜଳିମୁଣ୍ଡା ଶ୍ମଶାନକୁ ଶବ ସତ୍କାର ଲାଗି ନେଇଥିଲେ। ମାତ୍ର ଶବସତ୍କାର କରିବା ପୂର୍ବରୁ କରେଣ୍ଟ ଚାଲିଯାଇଥିଲା। ୧ଘଣ୍ଟା ପରେ ଅର୍ଥାତ୍‌ ଦିବା ୩ଘଟିକା ସମୟରେ କରେଣ୍ଟ ଆସିଥିଲେ ମଧ୍ୟ ଶବଦାହ ପାଇଁ ଥିବା ଗ୍ୟାସ୍‌ଚୁଲା ମେଶିନ୍‌ ଷ୍ଟାର୍ଟ ହୋଇ ନ ଥିଲା। ଜେନେରେଟର ଥିଲେ ମଧ୍ୟ ଖୋଲାମେଲାରେ ପଡି ରହୁଥିବାରୁ ତାହା ଅକାମୀ ହୋଇପଡିଥିଲା। ଦାୟିତ୍ୱରେ ଥିବା ମେଶିନ୍‌ ଅପରେଟର ମେସିନ୍‌କୁ ଷ୍ଟାର୍ଟ କରିପାରି ନ ପାରିବାରୁ ଶେଷରେ ଅନ୍ୟ ଉପାୟ ନ ପାଇ ମୃତଦେହକୁ ସତ୍ୟନଗର ଶ୍ମଶାନକୁ ନିଆଯାଇଥିଲା। ଏନେଇ ସାମାଜିକକର୍ମୀ ତଥା ପରିବେଶବିତ୍‌ ସୁଶାନ୍ତ ସାହୁ ଉଦ୍‌ବେଗ ପ୍ରକାଶ କରିବା ସହ ତୁରନ୍ତ ଏହାର ମରାମତି କାର୍ଯ୍ୟ କରିବା ଲାଗି ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି। ଅପରପକ୍ଷେ ବିଏମ୍‌ସି ପକ୍ଷରୁ ଶ୍ମଶାନ ଦାୟିତ୍ୱରେ ଥିବା ଅଧିକାରୀ ପ୍ରମୋଦ ସାମଲ କହିଛନ୍ତି, ମେଶିନ୍‌ ଠିକଭାବେ କାର୍ଯ୍ୟ କରୁଛି। ଏପରି କିଛି ଘଟଣା ଘଟିଥିବା ନେଇ ମୋ ପାଖରେ କୌଣସି ସୂଚନା ନାହିଁ। ବ୍ୟକ୍ତିଗତଭାବେ ନିଜେ ଯାଇ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରିବି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଭୁବନେଶ୍ୱର ମହାନଗର ନିଗମାଞ୍ଚଳରେ ଶବଦାହ ପାଇଁ ମୋଟ ୪୨ଟି ଶ୍ମଶାନ ରହିଛି। ତେବେ ଦାହ ସଂସ୍କାରକୁ ସରଳୀକରଣ କରିବା ତଥା ପରିବେଶ ପ୍ରଦୂଷଣକୁ ରୋକିବା ନିମନ୍ତେ ବିଏମ୍‌ସି ପକ୍ଷରୁ ୨ଟି ଶ୍ମଶାନ ଯଥା ପଟିଆ ଜଳିମୁଣ୍ଡା ଶ୍ମଶାନ ଏବଂ ଜାଗମରା ଧର୍ମବିହାର ଠାରେ ଦେୟମୁକ୍ତ ଗ୍ୟାସ୍‌ଚୁଲାର ବ୍ୟବସ୍ଥା କରାଯାଇଛି। ଆଧୁନିକ ଜ୍ଞାନକୌଶଳ ସହାୟତାରେ କୋଟି କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ପରିବେଶ ଅନୁକୂଳ ଶବଦାହ ଚୁଲା ତିଆରି ହୋଇଛି। ଏଥିପାଇଁ ଅନେକ କର୍ମଚାରୀ ନିଯୁକ୍ତ ହେବା ସହ ମାସକୁ ମାସ ଟଙ୍କା ଖର୍ଚ୍ଚ ହେଉଛି। ମାତ୍ର ଯେଉଁ ମହତ୍‌ ଉଦ୍ଦେଶ୍ୟରେ ଏହାର ନିର୍ମାଣ ହୋଇଥିଲା, କର୍ମଚାରୀଙ୍କ ଖାମଖିଆଲ ମନୋଭାବ ପାଇଁ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ।

Share