୧୪ ପଇସା ବଢ଼ିଲା ପେଟ୍ରୋଲ

ଭୁବନେଶ୍ୱର,୧୯।୮: ଲଗାତର ତୃତୀୟ ଦିନ ଲାଗି ପେଟ୍ରୋଲ ଦର ବୃଦ୍ଧି ଘଟିଛି। ମଙ୍ଗଳବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୪ ପଇସା ବଢିବା ଯୋଗୁ ଦର ୮୧.୪୪ ଟଙ୍କା ଛୁଇଁଛି। ଏହି ସମୟରେ ଡିଜେଲ ଦର ଅପରିବର୍ତ୍ତିିତ ୮୦.୦୩ ଟଙ୍କା ରହିଛି। ରବିବାର ପେଟ୍ରୋଲ ଦର ୧୨ ପଇସା ବଢିଥିବା ବେଳେ ସୋମବାର ଦର ୧୫ ପଇସା ବୃଦ୍ଧି ଘଟିଥିଲା। ଗତ ଏକ ମାସ ହେବ ତେଲ ଦର ନିୟନ୍ତ୍ରଣରେ ରହିଥିବା ବେଳେ ଏଥିରେ ବର୍ତ୍ତମାନ ବୃଦ୍ଧି ଘଟୁଥିବା ଜଣାପଡିଛି। ଦେଶର ପ୍ରମୁଖ ସହରଗୁଡିକ କଥା ବିଚାର କଲେ ମଙ୍ଗଳବାର ପେଟ୍ରୋଲ ଦର ୧୩ରୁ ୧୭ ପଇସା ବଢିଛି। ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୧୭ ପଇସା ବଢି ୮୦.୯୦ ଟଙ୍କା ଛୁଇଁଛି। ସେହିଭଳି ଚେନ୍ନାଇରେ ୧୨ ପଇସା ବଢି ୮୩.୯୯ ଟଙ୍କା, କୋଲକାତାରେ ୧୩ ପଇସା ବଢି  ୮୨.୪୩ ଟଙ୍କା ଏବଂ ମୁମ୍ବାଇରେ ୧୩ ପଇସା ବୃଦ୍ଧି ପାଇ ୮୭.୫୮ ଟଙ୍କା ରହିଛି। ଏହି ସହରଗୁଡିକରେ ଡିଜେଲ ଦର ଅପରିବର୍ତ୍ତିତ ରହିଛି। ଏହି ମେଟ୍ରୋ ସହର ଡିଜେଲ ଦର ଯଥାକ୍ରମେ- ୭୩.୫୬ ଟଙ୍କା, ୭୮.୮୬ ଟଙ୍କା, ୭୭.୦୬ ଟଙ୍କା ଏବଂ ୮୦.୧୧ ଟଙ୍କା ରହିଛି। ବର୍ତ୍ତମାନ ଦେଶର ବିଭିନ୍ନ ପ୍ରାନ୍ତରେ ତେଲ ଦର ଭିନ୍ନ ରହୁଛି। ଅଶୋଧିତ ତେଲ ଦର ବୃଦ୍ଧି ଏବଂ ବିଦେଶୀ ବିନିମୟ ହାରକୁ ନେଇ ଦର ନିର୍ଦ୍ଧାରଣ ହେଉଥିବାରୁ ଦରରେ ଭିନ୍ନତା ପରିଲକ୍ଷିତ ହେଉଛି। ରାଷ୍ଟ୍ରାୟତ୍ତ କମ୍ପାନୀ ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ ଭଳି କମ୍ପାନୀଗୁଡିକ ତେଲ ଦରରେ ପରିବର୍ତ୍ତନକୁ ପ୍ରତିଦିନ ସକାଳ ୬ଟାରେ ଲାଗୁ କରିଥାନ୍ତି।

Share