୧୫ ପଇସା ବଢ଼ିଲା ପେଟ୍ରୋଲ

ଭୁବନେଶ୍ୱର,୧୮।୮: ପେଟ୍ରୋଲ ଦର ଲଗାତର ଭାବେ ଦ୍ୱିତୀୟ ଦିନ ଲାଗି ବୃଦ୍ଧି ଘଟିଛି। ରବିବାର ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୧୨ ପଇସା ବଢିଥିବା ବେଳେ ସୋମବାର ୧୫ ପଇସା ବଢିଛି। ଫଳରେ ଦର ୮୧.୭୦ ଟଙ୍କା ଛୁଇଁଛି। ଏଠାରେ ଡିଜେଲ ଲିଟର ପିଛା ଦର ୮୦.୦୩ ଟଙ୍କା ରହିଛି। ଗତ କିଛି ଦିନ ହେବ ପେଟ୍ରୋଲ ଦର କୌଣସି ବୃଦ୍ଧି ଘଟି ନ ଥିବା ବେଳେ ପୁଣି ଥରେ ଏଥିରେ ଏବେ ଦର ବଢୁଥିବା ନଜରକୁ ଆସିଛି। ବର୍ତ୍ତମାନ ସାରା ଦେଶରେ ଡିଜେଲ ଉପରେ ଦର ଅପରିବର୍ତ୍ତିତ ରହିଥିବା ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ସୂଚନା ଦେଇଛନ୍ତି। ଏହି ସମୟରେ ଦେଶର ମେଟ୍ରୋ ସହରଗୁଡିକରେ ପେଟ୍ରୋଲ ଦର ଲିଟର ପିଛା ୧୨ରୁ ୧୬ ପଇସା ବଢିଥିବା ଜଣାପଡିଛି। ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୬ ପଇସା ବୃଦ୍ଧି ଘଟି ୮୦.୭୩ ଟଙ୍କା ଛୁଇଁଛି। ସେହିଭଳି ଚେନ୍ନାଇରେ ୧୨ ପଇସା ବଢି ୮୩.୮୭ ଟଙ୍କା, କୋଲକାତାରେ ୧୩ ପଇସା ବୃଦ୍ଧି ପାଇ ୮୨.୩୦ ଟଙ୍କା ଏବଂ ମୁମ୍ବାଇରେ ପେଟ୍ରୋଲ ଲିଟର ୧୪ ପଇସା ଉଚ୍ଚରେ ରହିବା ଯୋଗୁ ଦର ୮୭.୪୫ ଟଙ୍କା ସ୍ତରରେ ରହିଛି। ଏହି ସହରଗୁଡିକରେ ଡିଜେଲ ଲିଟର ପିଛା ଦର ଯଥାକ୍ରମେ ୭୩.୫୬ ଟଙ୍କା, ୭୮.୮୬ ଟଙ୍କା, ୭୭.୦୬ ଟଙ୍କା ଏବଂ ୮୦.୧୧ ଟଙ୍କା ରହିଛି। କିଛି ଦିନ ହେବ ପେଟ୍ରୋଲ,ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା। ରବିବାର ପେଟ୍ରୋଲ ଉପରେ ଦର ବୃଦ୍ଧି ହେବା ଆଗରୁ ୨୯ ଜୁନରେ ଶେଷ ଥର ଲାଗି ଦର ବୃଦ୍ଧି ଘଟିଥିଲା। ସେହିଭଳି ଗତ ୧୭ ଦିନ ହେବ ଡିଜେଲ ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ। ତୈଳ ବିପଣନ କମ୍ପାନୀଗୁଡିକର ମୂଲ୍ୟ ସମୀକ୍ଷା ପରେ ପ୍ରତିଦିନ ପେଟ୍ରୋଲ ଏବଂ ଡିଜେଲ ଦର ନିର୍ଦ୍ଧାରିତ ହୋଇଥାଏ। ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ, ହିନ୍ଦୁସ୍ଥାନ ପେଟ୍ରୋଲିୟମ ଭଳି କମ୍ପାନୀ ପ୍ରତିଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ ଦର ସଂଶୋଧନକୁ ଜାରି କରିଥାନ୍ତି।

Share