୪ ଦିନରେ ପେଟ୍ରୋଲ ୮୪ ପଇସା ବୃଦ୍ଧି

ନୂଆଦିଲ୍ଲୀ/ଭୁବନେଶ୍ୱର,୮।୫: ଦ୍ରୁତ ସଂକ୍ରାମକ ସାଜିଥିବା କରୋନାର ୨ୟ ଲହର ସହ ଦେଶ ସଂଗ୍ରାମ ଚଳାଇଥିବା ବେଳେ ତୈଳ ଦର ଲଗାତର ବୃଦ୍ଧି ଘଟିଚାଲିଛି। ଗତ ୪ ଦିନ ମଧ୍ୟରେ ପେଟ୍ରୋଲ ୮୪ ପଇସା ଏବଂ ଡିଜେଲ ୧୦୫ ପଇସା ବଢିଛି। ଚଳିତ ବର୍ଷ ଏପ୍ରିଲ ୧୫ ରେ ଶେଷ ଥର ପାଇଁ ତେଲ ଦର ପରିବର୍ତ୍ତନ ହୋଇଥିଲା। ପଶ୍ଚିମବଙ୍ଗ ସମେତ ୪ ରାଜ୍ୟ ଓ ପଣ୍ଡିଚେରୀରେ ନିର୍ବାଚନ ଥିବାରୁ ଦରବୃଦ୍ଧି ହୋଇ ନ ଥିଲା। ଗତ ୨ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ୪ ତାରିଖରୁ ପ୍ରତିଦିନ ତେଲ ଦର ବଢ଼ିଚାଲିଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ (ଆଇଓସିଏଲ୍‌) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୨୮ ପଇସା ଏବଂ ଡିଜେଲ ୩୪ ପଇସା ବଢିଛି। ଫଳରେ ଏଠାରେ ପେଟ୍ରୋଲ ଦର ୯୧.୯୬ ଟଙ୍କା ହୋଇଥିବା ବେଳେ ଡିଜେଲ ଦର ୮୯.୦୩ ଟଙ୍କାରେ ବିକ୍ରି ହେଉଛି। ଅନ୍ୟପକ୍ଷରେ ନୂଆଦିଲ୍ଲୀରେ ପେଟ୍ରୋଲ ମୂଲ୍ୟରେ ୨୮ ପଇସା ଏବଂ ଡିଜେଲରେ ୩୧ ପଇସା ବଢ଼ିଥିବା ସୂଚନା ମିଳିଛି। ଫଳରେ ସେଠାରେ ପେଟ୍ରୋଲ ଦର ଲିଟର ପିଛା ୯୧.୨୭ ଟଙ୍କା ଓ ଡିଜେଲ ଲିଟର ପିଛା ୮୧.୭୩ ଟଙ୍କାରେ ପହଞ୍ଚତ୍ଛି। ସେହିଭଳି ଦେଶର ଅନ୍ୟ ପ୍ରମୁଖ ମେଟ୍ରୋ ସହର ଚେନ୍ନାଇ, କୋଲକାତା ଏବଂ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଯଥାକ୍ରମେ ୯୩.୧୫ ଟଙ୍କା, ୯୧.୪୧ ଟଙ୍କା ଏବଂ ୯୭.୬୧ ଟଙ୍କା ହୋଇଛି। ଏହିସବୁ ମେଟ୍ରୋ ସହରରେ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୮୬.୬୫ ଟଙ୍କା, ୮୪.୫୭ ଟଙ୍କା ଏବଂ ୮୮.୮୨ ଟଙ୍କାକୁ ବୃଦ୍ଧି ଘଟିଥିବା ଜଣାପଡିଛି।
ଭାରତର କେତେକ ସହରରେ ବର୍ତ୍ତମାନ ପେଟ୍ରୋଲ ୧୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ପ୍ରାୟ ୯୫ ଟଙ୍କାକୁ ବୃଦ୍ଧି ଘଟିଛି। ସେହିଭଳି ଦେଶର ଆଉ କିଛି ସହରରେ ତେଲ ଦର ୧୦୦ ନିକଟବର୍ତ୍ତୀ ରହିଥିବା ସୂଚନା ମିଳିଛି।

 

Share